ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ । କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦିନ ଧରି ଚିକିତ୍ସିତ ହେଉଥିବା ଭୁବନେଶ୍ବର ସହରର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଯୁବକ ଜଣକ ୯ ଦିନ ତଳେ ଇଟାଲିରୁ ଫେରିଥିଲେ ଏବଂ ଦିଲ୍ଲୀରେ କ୍ବାରେଣ୍ଟିନ୍ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ ବୋଲି ଜଣାପଡ଼ିଛି। ଗତକାଲି ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।
ଗତକାଲି ସଂନ୍ଧ୍ୟାରେ ତାଙ୍କ ରିପୋର୍ଟ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ରାତି ଅଧରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ କାଳୀନ ବୈଠକ ଡକାଯାଇଛି । ଅନ୍ୟ ପଟେ ଓଡିଶାରେ କରେନା ରୋଗୀ ଚିହ୍ନଟ ହେବା ପରେ ଲୋକ ମାନେ ଭୟଭିତ ହୋଇପଡିଛନ୍ତି ।