ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭୟ । କରୋନା ଭାଇରସ ବିଶ୍ୱ ସାରା ତାର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୧୦୦ରୁ ଉର୍ଦ୍ଧ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ଏହି ଭାଇରସର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ରାଜ୍ୟରେ ଥିବା ଆହାର କେନ୍ଦ୍ର ମାନଙ୍କରେ କରୋନା ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏବେ ଆହାର କେନ୍ଦ୍ର ଗୁଡିକ ସକାଳ ୧୦ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖେଲା ରହିବ । ପୂର୍ବ ଭଳି ଲୋକ ମାନେ ଧାଡିରେ ଯାଇ ଖାଦ୍ୟ ଗ୍ରହଣ କରିବେ । ହେଲେ ବର୍ତ୍ତମାନ ଧାଡିରେ ଯିବା ସମୟରେ ଲୋକ ମାନଙ୍କ ମଧ୍ୟରେ ଅତି କମରେ ଦେଢ ମିଟରର ଦୂରତା ରହିବ । ଏହାର ତଦାରଖ କରିବା ପାଇଁ ପୋଲିସ କର୍ମଚାରୀ ମୁତୟନ କରାଯିବ । ଲୋକ ମାନେ ଆହାର କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।