ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାକୁ ନେଇ ଚାରିଆଡ ଆତଙ୍କ ଖେଳିଯାଇଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଅଧିକ ଯତ୍ନବାନ ହୋଇପଡିଛନ୍ତି । ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ସରକାର ଏକ ପୋର୍ଟାଲ ବ୍ୟବସ୍ଥା କରିଛନ୍ତି ।
ଏଥିପାଇଁ ପଞ୍ଜିକରଣ ନିମନ୍ତେ covid19.odisha.gov.inର ବ୍ୟବସ୍ଥା ହୋଇଛି । ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ଏହି ପୋର୍ଟାଲରେ ପଞ୍ଜିକରଣ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ଆକାଉଣ୍ଟ ସାହାର୍ଯ୍ୟ ଏନେଇ ଅପିଲ କରିଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶରୁ ଫେରିଥିବା ନିଜ ଭଉଣୀ ଗୀତା ମେହେତାଙ୍କର ନାମ ପଞ୍ଜୀକୃତ କରିଛନ୍ତି । ସରକାରୀ ପୋର୍ଟାଲରେ ନିଜ ଭଉଣୀ ଗୀତା ମେହେତାଙ୍କର ନାମ ପଞ୍ଜୀକରଣ କରିଥିବା ନେଇ ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ସହ ବିଦେଶରୁ ଫେରିଥିବା ସମସ୍ତଙ୍କୁ ନାମ ପଞ୍ଜିକରଣ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବର୍ତ୍ତମାନ ସୁଦ୍ଧା ୨୧୩୧ଜଣ ନିଜର ନାମ ପଞ୍ଜିକୃତ କରିସାରିଛନ୍ତି ।