ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ ୧୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ସ୍କୁଲ, କଲେଜ, ଫିଲ୍ମ ହଲ, ମଲ୍ ଆଦି ଜନଗହଳିପୂର୍ଣ୍ଣ ଜାଗା ଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ କେନ୍ଦ୍ର ସରକାରଙ୍କ ତରଫରୁ କରୋନା ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି ।
କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ୫୦ ପ୍ରତିଶତ ଲୋକଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା ଗ୍ରୁପ ବି ଓ ସି ର୍ୟାଙ୍କରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସେମାନଙ୍କୁ ଫୋନରେ ଆର୍ଲଟ ରହିବାକୁ କୁହାଯାଇଛି । ଯଦି କୌଣସି ଜରୁରୀ କାମ ପଡେ ତେବେ ଫୋନ କଲେ ତୁରନ୍ତ ଆସି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ ବୋଲି କୁହାଯାଇଛି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସୁଜାତା ଚର୍ତୁବେଦୀ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି।