ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶର ରାଜନୈତିକ ହଲଚଲ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ତାଙ୍କ କାର୍ଯ୍ୟାକାଳର ଉପଲବ୍ଧ୍ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ କମଳନାଥ କହିଛନ୍ତି କି, ସରକାର ଭାଙ୍ଗିବା ପାଇଁ ବିଜେପି ପ୍ରଥମରୁ ହିଁ ଚେଷ୍ଟା କରୁଥିଲା । ଏହାସହିତ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରି ସେ କହିଛନ୍ତି କି, ମହାରାଜଙ୍କ ସହ ମିଶି ରାଜ୍ୟ ସରକାରକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚିଥିଲା ବିଜେପି ।
ସାମ୍ବାଦିକ ସମ୍ମିଳନୀରେ କମଳନାଥ କହିଛନ୍ତି କି, ମୁଁ ସର୍ବଦା ବିକାଶ ଉପରେ ବିଶ୍ୱାସ କରିଛି । ଆମ ବିଧାୟକଙ୍କୁ କର୍ଣ୍ଣାଟକରେ ବନ୍ଧକ କରାଗଲା । ମୋତେ ୫ ବର୍ଷ ପାଇଁ ବହୁମତ ଦେଇଥିଲେ ଜନତା । ଏଠି ମୋର ଭୁଲ୍ ରହିଲା କୋଉଠି । ୧୫ ମାସ ହେବ ବିଜେପି ଷଡଯନ୍ତ୍ର ରଚୁଛି । ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଲାଇଛି । ନିର୍ବାଚନରେ କଂଗ୍ରେସକୁ ଅଧିକ ଭୋଟ ମିଳିଥିଲା । ମାତ୍ର ଏବେ ବିଧାୟକଙ୍କୁ କିଣିବା ପାଇଁ କୋଟି କୋଟି ଖର୍ଚ୍ଚ କରୁଛି ବିଜେପି । କୃଷକଙ୍କ ସହ ଧୋକା କରିଛି ବିଜେପି । ଜଣେ ମହାରାଜଙ୍କ ସହ ମିଶି ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ରହିଛି ।
ଅନ୍ୟପଟେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସମୟ ମାଗିଛନ୍ତି କମଳନାଥ । ଏହି ଅବସରରେ ସେ ଔପଚାରିକ ଭାବେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ ବୋଲି କୁହାଯାଉଛି ।