ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଥରେ ଫସିଗଲେ କଥା ସରିଲା । ନାକେଦମ ହେବାଟା ଥୟ । ନା ଆଗକୁ ଯାଇହେବ ନା ଫେରିହେବ ପଛକୁ । ପରିସ୍ଥିତି ଏପରି ହେଲାଣି ଯେ, ସେହି ରାସ୍ତା ଦେଇ ଯିବାକୁ ହେଲେ ଏବେ ଶହେ ଥର ଭାବିବାକୁ ପଡୁଛି । ଆମେ କହୁଛୁ ରାଜଧାନୀର ଡମଣା ଛକ କଥା । ଯାହା ଏବେ ଲୋକଙ୍କୁ ବାଟବଣା କରି ନାକରେ କନ୍ଦାଉଛି । ଏ କଥା ନୁହେଁ ଯେ, ସମସ୍ୟା ଆଜିକାର ବରଂ ଢ଼େରଦିନର ।
ପ୍ରତ୍ୟେକ ଦିନ ସ୍କୁଲ/କଲେଜ ପିଲାଙ୍କଠୁ ନେଇ ସାଧାରଣ ଲୋକ ଏପରିକି ରୋଗୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ହେଲେ ସମାଧାନର ବାଟ ଫିଟିବ କ’ଣ ବରଂ ପରିସ୍ଥିତି ଆହୁରି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି । ଯଦିଓ ଘଟଣାସ୍ଥଳରେ ଟ୍ରାଫିକ ପୁଲିସ ମୁତୟନ ହୋଇଛନ୍ତି ତଥାପି ସେମାନଙ୍କ ଅକଲ ଗୁଡୁମ ହୋଇଯାଉଛି । ଏଥିରେ ପୁଣି ଆହୁରି ସମସ୍ୟା ଠିଆ କରୁଛି ବାହାଘର ପ୍ରୋସେଶନ । ରାସ୍ତା ଜାମ ସାଙ୍ଗକୁ ଘଣ୍ଟାଘଣ୍ଟା ଗାଡିମୋଟର ଅଟକି ରହୁଛି । ଏ ସମସ୍ୟା ସମ୍ପର୍କରେ ପୁଲିସ ଅବଗତ ଥିଲେ ବି କାହିଁକି ଓ କେଉଁ ପରିସ୍ଥିତିରେ ପ୍ରୋସେଶନ କରିବା ଲାଗି ଅନୁମତି ଦିଆଯାଉଛି ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।
କେବଳ ଏତିକି ନୁହେଁ ଅଟୋବାଲାଙ୍କ ଖାମଖିଆଲି ପାର୍କିଂ କରିବା ତ’ ସମସ୍ୟାକୁ ଆହୁରି ବଢ଼ାଇଦେଉଛି । ଟ୍ରାଫିକ ସମସ୍ୟା ଏଡାଇବା ଲାଗି ଟ୍ରାଫିକ ପୁଲିସ ହରଦମ ପ୍ରୟାସ କରୁଥିବା ବେଳେ ଡମଣା ଛକକୁ ଦେଖିଲେ ଏହାର ଓଲଟା ଦୃଶ୍ୟ ନଜରକୁ ଆସେ । ତେଣୁ ଏହା ଉପରେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।