କଟକ(ଏଟିଆର ବ୍ୟୁରୋ): ସିଲଭର ସିଟି କଟକରେ ହେବ ଆଇସୋଲେଶନ ୱାର୍ଡ । କଟକ ବାରବାଟି ଷ୍ଟାଡିୟମରେ ଆଇସୋଲେଶନ ୱାର୍ଡ ତିଆରି କରାଯିବ । କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ଠାରୁ କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବାରବାଟୀ ଷ୍ଟାଡିୟମରେ ଥିବା ସଚିନ ତେନ୍ଦୁଲକର ଇନଡୋର ହଲ୍, କର୍ପୋରେଟର ବକ୍ସ, ଏସି ବକ୍ସ ଆଦି ସ୍ଥାନକୁ ଆଇସୋଲେଶନ ୱାର୍ଡରେ ପରିଣତ କରାଯିବ । ଏଠାରେ ପ୍ରାୟ ୨୦୦ଟି ବେଡ୍ ପ୍ରସ୍ତୁତ କରାଯିବ । ଓଡିଶା ଅଲମ୍ପିକ ଆସୋସିଏଶନ ସମ୍ପାଦକ ଅଭିଜିତ ପାଲ କହିଛନ୍ତି ଯେ, କରୋନା ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ତେବେ ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଗଇଡ ଲାଇନ ଜାରି କରାଯାଉଛି ।
ସୂଚନା ଯୋଗ୍ୟ କରୋନା ଭାଇରସରେ ଭାରତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ସେହିପରି ଭାରତରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତା ହୋଇଥିବାର ସୂଚନା ରହିଛି । ଏଥିରେ ୩୨ ଜଣ ବିଦେଶୀ ନାଗରିକ ଥିବାର ଜଣାପଡିଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ଆସନ୍ତା ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରାଯାଇଛି । ତେବେ ମୁମ୍ବାଇ, କର୍ଣ୍ଣାଟକା, ଦିଲ୍ଲୀ ,ପଞ୍ଜାବ ଓ ଜୟପୁରରେ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।