ମୁମ୍ବାଇ(ଏଟିଆର ବ୍ୟୁରୋ): ଗୋଟିଏ ପରେ ଗୋଟିଏ ବିବାଦରେ ଫସିବାରେ ଲାଗିଛନ୍ତି ବଲିଉଡ ଗାୟୀକା କନିକା କପୁର । ଦୁଇ ଦିନ ତଳେ ବଲିଉଡ ଗାୟୀକା କନିକା କପୁର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା । ଏବେ ତାଙ୍କ ନାଁରେ ଏତଲା ରୁଜୁ କରାଯାଇଛି । ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ମାର୍ଚ୍ଚ ୧୫ ତାରିଖରେ କନିକା କପୁର ଲଣ୍ଡନରୁ ଫେରିଥିଲେ । ତେବେ ଏହାକୁ ଲୁଚାଇ କନିକା ଲକ୍ଷେ୍ନøରେ ଏକ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ, ତାଙ୍କ ମା ବସୁନ୍ଧରା ରାଜେ ସିନ୍ଧିଆ ଯୋଗ ଦେଇଥିଲେ ।
ତେବେ କନିକାଙ୍କ ରିର୍ପୋଟ ପଜେଟିଭ ଅସିବା ପରେ ସାଂସଦ ଦୁଷ୍ୟନ୍ତ ସିଂହ, ତାଙ୍କ ମା ବସୁନ୍ଧରା ରାଜେ ସିନ୍ଧିଆ ନିଜକୁ ହୋମ୍ ଆଇସୋଲେଶନରେ ରଖିଛନ୍ତି । ଏନେଇ ବସୁନ୍ଧରା ରାଜେ ସିନ୍ଧିଆ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ସାଂସଦ ଦୁଷ୍ୟନ୍ତ ସିଂହ ଏହି ପାର୍ଟିରେ ଯୋଗ ଦେବାର ପର ଦିନ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହାସହ ପାର୍ଲାମେଣ୍ଟ ଅଧିବେଶନରେ ଯୋଗ ଦେଇଥିଲେ । ତେଣୁ ଯଦି କନିକା କପୁରଙ୍କ ଠାରୁ ଦୁଷ୍ୟନ୍ତ ସିଂହଙ୍କୁ କରୋନା ସଂକ୍ରମଣ ହୋଇଥାଏ ତେବେ ଏହା ପରେ ପାର୍ଲାମେଣ୍ଟରେ ଅନ୍ୟ ସାଂସଦଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ସୂଚନା ଯୋଗ୍ୟ କରୋନା ଭାଇରସରେ ଭାରତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ସେହିପରି ଭାରତରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତା ହୋଇଥିବାର ସୂଚନା ରହିଛି । ଏଥିରେ ୩୨ ଜଣ ବିଦେଶୀ ନାଗରିକ ଥିବାର ଜଣାପଡିଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ଆସନ୍ତା ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରାଯାଇଛି । ତେବେ ମୁମ୍ବାଇ, କର୍ଣ୍ଣାଟକା, ଦିଲ୍ଲୀ ,ପଞ୍ଜାବ ଓ ଜୟପୁରରେ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।