ବ୍ରହ୍ମପୁର(ଏଟିଆର ବ୍ୟୁରୋ): କରୋନା ଭାଇରସର ମୁକାବିଲା କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମର ବଡ ନିଷ୍ପତି । ବ୍ରହ୍ମପୁର ସହରରେ ସଫେଇ କାମ କରୁଥିବା କର୍ମଚାରୀ ମାନେ ମାସ୍କ ଓ ଗ୍ଲୋଭସ୍ ନ ପିନ୍ଧିଲେ ସେମାନଙ୍କୁ ଉପସ୍ଥାନ ଦିଆଯିବ ନାହିଁ । ଏନେଇ ବରହ୍ମପୁର ମହାନଗର ପକ୍ଷରୁ କୁହାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଗତ ଦୁଇ ମାସ ରାତି ସମୟରେ ୧୪୦୦ କର୍ମଚାରୀ ସଫେଇ କାମ କରୁଛନ୍ତି । ଏହି ସଫେଇ କାମ କରୁଥିବା ବେଳେ ସେମାନେ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି । ଯଦି ସେମାନେ ମାକ୍ସ ଓ ଗ୍ଲୋଭସ୍ ନପିନ୍ଧନ୍ତି ତେବେ ତାଙ୍କୁ ଉପସ୍ଥାନ ଦିଆଯିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ କହିବା ଅନୁସାରେ ଯଦି ସହରରେ ଥିବା ୪ ଲକ୍ଷ ଲୋକଙ୍କ ଯତ୍ନ ନିଆଯାଇ ପାରୁଛି ତେବେ ୧୪୦୦ ସଫେଇ କର୍ମଚାରୀଙ୍କ ଯତ୍ନ ମଧ୍ୟ ନିଆଯିବ । ଏହା ସହ ବ୍ରହ୍ମପୁର ନଗର ନିଗମ ପାଖରେ ଯଥେଷ୍ଟ ପରିମାଣରେ ମାସ୍କ ଏବଂ ଗ୍ଲୋଭସ୍ ଥିବା ଜଣାଯାଇଛି।
ସୂଚନା ଯୋଗ୍ୟ କରୋନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୯୬ ଦେଶକୁ ବ୍ୟାପି ସାରିଲାଣି । ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ଏହି ଭାଇରସରେ ୪୦୦ ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି ।