ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ନେଇ ସାରା ଦେଶ ଲକ ଡାଉନ ରହିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଓଡିଆ ଲୋକମାନେ ଫସି ରହିଛନ୍ତି । ଫସି ରହିଥିବା ଲୋକମାନେ ସେଠାରୁ ମୁକୁଳିବା ପାଇଁ ଆକୁଳ ନିବେଦନ କରୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାର ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହାର ସମାଧାନ ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଅନ୍ୟରାଜ୍ୟରେ ଯେଉଁ ଓଡିଶା ଲୋକମାନେ ଲକ ଡାଉନରେ ଫସି ରହିଛନ୍ତି ସେଠାକାର ସରକାର ସେମାନଙ୍କୁ ସହଯୋଗ କରିବାକୁ ନବୀନ ନିବେଦନ କରିଛନ୍ତି । ଏଥିପାଇଁ ଯାହା ଖର୍ଚ୍ଚ ହେବ ସେ ସମସ୍ତ ଖର୍ଚ୍ଚ ଓଡିଶା ସରକାର ବହନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ଯେଉଁ ଅନ୍ୟ ରାଜ୍ୟର ଲୋକ ଫସି ରହିଛନ୍ତି ସେମାନଙ୍କୁ ମଧ୍ୟ ଓଡିଶା ସରକାର ତୁରନ୍ତ ସହାୟତାର ହାତ ବଢାଇବେ ବୋଲି ନବୀନ କହିଛନ୍ତି ।