ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ଓଡିଶାରେ ତୃତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତୃତୀୟ କରୋନା ଆକ୍ରାନ୍ତ ମଧ୍ୟ ରାଜଧାନୀର ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । ସାରା ଦେଶ ଏବେ ଲକ ଡାଉନରେ ରହିଛି । ତେବେ ଏହି ଭିତରେ ଏବେ ସବୁଠାରୁ ବଡ ସମସ୍ୟା ହେଲା ଗାଁରେ । କାରଣ ଏବେ କରୋନା ଭୟାବହତା ନେଇ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀ ମାନେ ଏବେ ନିଜ ଭିଟା ମାଟିକୁ ଫେରିଛନ୍ତି ।
ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚିଙ୍କ ସୂଚନା ଅନୁସାରେ ପାଖାପାଖି ୭୮ ହଜାର ରାଜ୍ୟ ବାହାରେ କାମ କରୁଥିବା ଲୋକ ଓଡିଶା ଫେରିଛନ୍ତି । ହେଲେ ପଞ୍ଜୀକରଣ କଥା ଯଦି ଦେଖିବା ମାତ୍ର ୪ ହଜାରରୁ ଅଧିକ ଲୋକ କରିଛନ୍ତି । ଯାହା ଏବେ ଏକ ବଡ ଆଶଙ୍କା ସୃଷ୍ଟି କରିଛି । ଏହେତ ମାତ୍ରାରେ ଲୋକ ଓଡିଶା ଫେରିଥିଲେ ମାତ୍ର ୪ ହଜାର ପଞ୍ଜୀକରଣ । ଅନ୍ୟମାନେ ହୋମ କ୍ୱାରେଣ୍ଟାଇନରେ ନ ରହି ଯଦି ବାହାରେ ଖୁଲମାଖୁଲା ବୁଲାବୁଲି କରୁଥିବେ ତେବେ ଆଗକୁ ପରିସ୍ଥିତି ଯେ କ’ଣ ହେବ ତାକୁ ଆକଳନ କରି ହେଉନି ।
୩ ଜଣ କରୋନା ସଂକ୍ରମିତ ଭୁବନେଶ୍ୱରେ ବାହାରିଛନ୍ତି ମାନେ ନୁହେଁ ଯେ କରୋନା ଗାଁ ମୁହାଁ ହୋଇ ନାହିଁ । ଯେହେତୁ ଏହି ରୋଗର ଲକ୍ଷଣ ୧୪ ଦିନ ପରେ ମଧ୍ୟ ଦେଖାଉଛି ତେବେ ଏକ ବଡ ବିପଦକୁ ଏଡାଇ ଦିଆଯାଇ ନପାରେ । କାରଣ ଲକ ଡାଉନ ସହରାଞ୍ଚଳରେ କଡାକଡି ହେଉଥିବା ବେଳେ ଅନେକ ସମୟରେ ଗ୍ରାମାଞ୍ଚଳରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁନାହିଁ । କିଛି କିଛି ଗାଁରେ ଏବେ ମଧ୍ୟ ଲୋକମାନେ ସଚେତନ ହୋଇ ନାହାନ୍ତି । ଯାହା ଫଳରେ ଏବେ ଏକ ବଡ ଆଶଙ୍କା ଦେଇ ଗତି କରୁଛି ଗ୍ରାମାଞ୍ଚଳ । ତେଣୁ ପ୍ରଶାସନ ତୁରନ୍ତ ଗ୍ରାମାଞ୍ଚଳ ଗୁଡିକରେ ସଂଗରୋଧ ଗୃହ କରି ରାଜ୍ୟ ବାହାରୁ ଆସିଥିବା ଲୋକମାନଙ୍କ ଉପରେ ନଜର ରଖୁ । ଗ୍ରାମପଞ୍ଚାୟତର ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ ଏହା ଉପରେ କଡା ନଜର ରଖନ୍ତୁ ବୋଲି ବୁଦ୍ଧିଜୀବି ମତ ରଖୁଛନ୍ତି ।