ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଗୁଡିକ ଜୁନ୍ ୧୭ ଯାଏଁ ବନ୍ଦ ଘୋଷଣା କରାଯାଇଛି । ଏହାଦ୍ୱାରା ସ୍କୁଲ ଛାତ୍ର-ଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏବେ ପିଲାମାନଙ୍କ ପାଖରେ ବହି ପହଁଚାଇବାର ବ୍ୟବସ୍ଥା ସରକାରଙ୍କ ଦ୍ୱାରା କରାଯାଉଛି । ସେହିଅନୁଯାୟୀ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିକଟରେ ଶିକ୍ଷକ ମାନେ ବହି ପହଁଚାଇବେ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ଏବଂ ବ୍ଲକ ମାନଙ୍କରେ ପ୍ରଥମରୁ ୮ମ ଶ୍ରେଣୀର ପିଲାଙ୍କ ବହି ପହଁଚି ଯାଇଛି । ବର୍ତ୍ତମାନର ଲକ୍ ଡାଉନ୍ ସ୍ଥିତିକୁ ଦେଖି ପିଲାମାନଙ୍କୁ ବହି ନେବା ପାଇଁ ସ୍କୁଲ ଆସିବାକୁ ପଡିବ ନାହିଁ । ଏଣିକି ଶିକ୍ଷକମାନେ ପିଲାମନଙ୍କ ଘରେ ଘରେ ବୁଲି ବହି ଦେଇ ଆସିବେ ।
ସେ ଅହୁରୀ ମଧ୍ୟ କହିଛନ୍ତି କି, ଲକ୍ ଡାଉନ୍ ପାଇଁ ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା ଆରମ୍ଭ ହୋଇ ପାରିନାହିଁ । ଯେଉଁଥିପାଇଁ ପିଲାମାନେ ଚିନ୍ତାରେ ରହିଛନ୍ତି । ସେଥିପାଇଁ ମେ ମାସ ୩ ତାରିଖ ପରେ ଦଶମ ଖାତା ଦେଖା ଆରମ୍ଭ ହୋଇଯିବ ।