ଭୁବନେଶ୍ୱର(ଏଟିଆର ବ୍ୟୁରୋ) ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ଉଚ୍ଚ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ଯେ, ଏହି ବୈଠକରେ କରୋନା ମୁକାବିଲା କିଭଳି କରାଯିବ ସେନେଇ ଆଲୋଚନା କରାଯାଇଥିଲା । ମୁଖତଃ ରାଜ୍ୟରେ ଅଧିକ ସଂଖ୍ୟାରେ କରୋନା ପରୀକ୍ଷା କିପରି ହୋଇପାରିବ ସେନେଇ ମନ୍ତ୍ରୀ ନବ ଦାସ ଗୁରୁତ୍ୱ ଦେଇଥିଲେ । ସେହିପରି ଓଡିଶାରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଳିମ କେନ୍ଦ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ତାଳିମ ଦିଆଯାଇ ସେମାନଙ୍କୁ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ବୁର୍ଲାରେ କୋଭିଡ୍ ପରୀକ୍ଷା ପାଇଁ ଆଉ ଦୁଇଟି ମେସିନ ଓ ବଲାଙ୍ଗୀର ମେଡିକାଲ କଲେଜରେ କୋଭିଡ୍ ପରୀକ୍ଷ ବ୍ୟବସ୍ଥା କରାଯିବା ପ୍ରସ୍ତାବକୁ ଆଗତ କରିଥିଲେ ।
ଏହା ସହ କେନ୍ଦ୍ର ସରକାର ବିପୁଳ ସଂଖ୍ୟାରେ ପରୀକ୍ଷଣ ସରଞ୍ଜାମ ଯୋଗାଇ ଦେବା ସହ ଭୁବନେଶ୍ୱରର ସମ୍ ହସ୍ୱିଟାଲ, କିମ୍ସ ହସ୍ପିଟାଲ, ହାଇଟେକ ମେଡିକାଲ କଲେଜ ଓ କଲାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ ନବ ଦାସ । ତେବେ ରାଜ୍ୟରେ ଏବେ ଗୋଟାଏ ଦିନରେ ୧୦୦୦ ନମୁନା ପରୀକ୍ଷଣ ହେଉଥିବା ବେଳେ ଆଗକୁ ଏହା ୨ରୁ ୩ ହଜାରକୁ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଉଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।