ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ । ଏହି ଅବସରରେ ସବୁ କିଛି ବନ୍ଦ ରହିଛି । ଲକ୍ ଡାଉନ୍ ଯୋଗୁଁ ଲୋକଙ୍କ ଆର୍ଥିକ କ୍ଷେତ୍ର ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର ଏକ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା କରିଛନ୍ତି କି, ଦିଲ୍ଲୀର କୌଣସି ଘରୋଇ ସ୍କୁଲ ଗୁଡିକୁ ସେମାନଙ୍କର ୩ ମାସିଆ ସ୍କୁଲ ଫି ନେବାକୁ ଅନୁମତି ଦିଆଯିବ ନାହିଁ । ଲକ୍ ଡାଉନ୍ ଅବସରରେ ସେମାନେ କେବଳ ଏକ ମାସର ଟ୍ୟୁସନ ଫି ନେଇ ପାରିବେ । ଏହାବ୍ୟତିତ କୌଣସି ଅତିରିକ୍ତ ଫି କିମ୍ବା ପରିବହନ ଶୁଳ୍କ ନିଆଯିବ ନାହିଁ । ଯଦି କୌଣସି ସ୍କୁଲ ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଅନେକ ଘରୋଇ ସ୍କୁଲ ଗୁଡିକ ଲକ୍ ଡାଉନ୍ ସମୟରେ ସେମାନଙ୍କର ମନମାନି ଦେଖାଉଥିବା ସୂଚନା ମିଳିଛି । ଏପରିକି ଲକ୍ ଡାଉନ୍ ସମୟରେ ସ୍କୁଲ ଗୁଡିକ ଫି ଆଦାୟ କରୁଛନ୍ତି ଏବଂ ସ୍କୁଲ ବନ୍ଦ ରହିବା ପରେ ବି ପରିବହନ ଶୁଳ୍କ ଆଦାୟ କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ ଏଭଳି କରିବା ବିଲକୁଲ୍ ଉଚିତ୍ ନୁହେଁ । ତେଣିକି ସେ ଘରୋଇ ସ୍କୁଲ ହେଉ ଅବା ସରକାରୀ ସ୍କୁଲ । ସେମାନେ ସ୍କୁ ଫି ବୃଦ୍ଧି କରି ପାରିବେ ନାହିଁ । ସରକାରଙ୍କ ବିନା ଅନୁମତିରେ ଫି ବୃଦ୍ଧି କରିପାରିବେ ନାହିଁ କୌଣସି ସ୍କୁଲ ।
ଏହାସହିତ ଯେଉଁ ସ୍କୁଲ ଗୁଡିକରେ ଅନଲାଇନ୍ ଯୋଗେ ପିଲାଙ୍କୁ ପାଠ ପଢା ଯାଉଛି, ସେଥିରେ ଯେମିତି କୌଣସି ଛାତ୍ର-ଛାତ୍ରୀଙ୍କୁ ପ୍ରତିବନ୍ଧକ ନକରାଯାଉ । ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଖାସ୍ କରି ଲକ୍ ଡାଉନ ରେ ଯେଉଁ ଅଭିଭାବକ ମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପିଲାଙ୍କ ପାଠ ପଢାରେ ଯେପରି କୌଣସି ପ୍ରତିବନ୍ଧକ ନ ଉପୁଜେ ସେଥିପାଇଁ ଧ୍ୟାନ ଦେବାକୁ କହିଛନ୍ତି ମନୀଷ ସିସୋଦିଆ ।