ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୦ ତାରିଖ ଠାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୨୦ ଅପ୍ରେଲ ଠାରୁ ଲୋକସେବା ଭବନର ସମସ୍ତ ବିଭାଗର କର୍ମଚାରୀ କାର୍ଯ୍ୟାଳୟ ଆସିବାକୁ ନିର୍ଦେଶ ଦିଆଯାଇଛି । ପ୍ରଥମଶ୍ରେଣୀ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ କାର୍ଯ୍ୟାଳୟ ଆସିବା ପାଇଁ ବାଧ୍ୟତା ମୂଳକ କରାଯାଇଛି । ମୁଖ୍ୟ କଥା ହେଲା ସରକାର ଏଥିପାଇଁ ୧୧ ଟି ବିଭାଗକୁ ଜରୁରୀ ବିଭାଗ କରିଥିବା ବେଳେ ଅନ୍ୟସବୁ ଆଂଶିକ ଜରୁରୀକାଳୀନ ବିଭାଗ ଭାବେ ଉଲ୍ଲେଖ କରାଯାଇଛି ।
ତେବେ ଜରୁରୀକାଳୀନ ବିଭାଗ ଗୁଡିକ ମଧ୍ୟରେ ରହିଛି କୃଷି ଓ କୃଷକ କଲ୍ୟାଣ, ସମବାୟ, ପଶୁ ସମ୍ପଦ ଓ ମତ୍ସ୍ୟ ପାଳନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ପେନସନ୍ ଅଭିଯୋଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ, ଶ୍ରମ ଓ ଇଏସ୍ଆଇ, ରାଜସ୍ୱ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓଡ଼ିଶା ବିପର୍ୟ୍ୟୟ ପ୍ରଶମନ । ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ କଟକଣା ମୁକ୍ତ କରିବା ପାଇଁ ଘୋଷଣା କରିଥିଲେ । ଯାହାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।