ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଇତିମଧ୍ୟରେ କିଛି ସ୍ଥାନରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ସେହିଅନୁଯାୟୀ ଲକ୍ ଡାଉନ୍ ଅବସରରେ ସ୍କୁଲ ବହି ଓ ଫ୍ୟାନ୍ ଦୋକାନ ଖୋଲା ରହିବ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି । ସେହିପରି ଜରୁରୀ ଖାଦ୍ୟ ସାମଗ୍ରୀ ପ୍ରକ୍ରିୟାକରଣ ୟୁନିଟ୍ ତଥା କ୍ଷୀର, ଅଟା, ଡାଲି ମିଲ୍, ଏବଂ ପାଉଁରୁଟି ଫ୍ୟାକ୍ଟ୍ରି ଆଦି ଖୋଲିବାକୁ ଅନୁମତି ଦିଆଯାଇଛି ।
ଅନ୍ୟପଟେ ପ୍ରିପେଡ ମୋବାଇଲ ରିଚାର୍ଜ ଦୋକାନ ଗୁଡିକ ବି ଖୋଲାଯାଇପାରିବ । ଏହାସହିତ ଲକ୍ ଡାଉନ୍ କଟକଣା ନିୟମକୁ ବରିଷ୍ଠ ନାଗରିକଙ୍କ ସହ ରହୁଥିବା କେୟାର ଟେକରଙ୍କ ପାଇଁ ସାମନ୍ୟ କୋହଳ କରାଯାଇଛି । ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଚିଠି ଲେଖି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି ।