ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଖାସ୍ କରି ଗରିବ ଶ୍ରେଣୀର ଲୋକେ ଖୁବ୍ ପ୍ରଭାବିତ ହୋଇଛନ୍ତି । ରୋଜଗାର ନଥିବାରୁ ଉପାସରେ ରହୁଛନ୍ତି ଏହି ଗରିବ ଶ୍ରେଣୀର ଲୋକେ । ଏମାନଙ୍କୁ ଦୃଷ୍ଟିରେ ରଖି ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଚାଉଳ , ଗହମ, କିରୋସିନ୍ ଆଦି ଯୋଗାଇ ଦିଆଯାଉଛି । ଏବେ ପୁଣି ଯେଉଁ ବ୍ୟକ୍ତିଙ୍କର ରାସନକାର୍ଡ ନାହିଁ ସେମାନଙ୍କ ପାଇଁ ବି ସରକାର ଘୋଷଣା କରିଛନ୍ତି ।
ସେହିଅନୁଯାୟୀ , ଏବେ ଅଣରାସନକାର୍ଡଧାରୀଙ୍କ ପ୍ରତି ପରିବାର ପିଛା ଦୁଇ ଲିଟର କିରୋସିନ୍ ତେଲ ଯୋଗାଇ ଦିଆଯିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।
ଏହାଦ୍ୱାରା ରାଜ୍ୟରେ ଯେଉଁମାନଙ୍କର ରାସନକାର୍ଡ ନାହିଁ ସେମାନେ ଉପକୃତ ହେବେ । ପ୍ରାୟତଃ ୧୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହି କିରୋସିନ୍ ବଣ୍ଟନ୍ ପ୍ରକ୍ରିୟା ଫାଷ୍ଟ କମ୍ ଫାଷ୍ଟ ସର୍ଭିସ ଭିତ୍ତିରେ ଯୋଗାଇ ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।