ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ମୁକାବିଲା କରିବାରେ ଲାଗିପଡିଛି । ତେବେ ଏହି ସମୟରେ ନିଷ୍ଠାରେ ସହ ନିଜର କର୍ତ୍ତବ୍ୟ ତୁଳାଉଛନ୍ତି ସାମ୍ବାଦିକ ମାନେ । ଦିନ ରାତି, ଖରା ବର୍ଷାକୁ ଖାତିରି ନକରି ଲୋକ ମାନଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଓ ଲୋକ ମାନଙ୍କୁ ସଚେତନତା କରାଇବା ପାଇଁ କାମ କରୁଛନ୍ତି ବହୁ ସାମ୍ବାଦିକ ମାନେ । ତେବେ ବର୍ତ୍ତମାନ ଯେଉଁ ଭଳି ଭାବେ କରୋନା ଭାଇରସ ବ୍ୟାପୁଛି କେତେ ବେଳେ ଯେ କାହାକୁ ହେବ ତାହା କହିବା ଅସମ୍ଭବ । ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକ ମାନଙ୍କ ନିଜ ଜୀବନକୁ ବାଜି ଲଗାଇ ବାହାରେ ବୁଲି ବୁଲି ଖବର ସଂଗ୍ରହ କରୁଛନ୍ତି ।
ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ଯଦି କୌଣସି ସାମ୍ବାଦିକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବହୁ ବରିଷ୍ଠ ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ବହୁ ପ୍ରଶଂସା କରିଛନ୍ତି ।