ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଜାରି ରହିଛି ଲକ୍ ଡାଉନ୍ । ଯାହାଦ୍ୱାରା ଓଡିଶାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏବେ ସେମାନଙ୍କୁ ଓଡିଶା ଫେରାଇ ଆଣିବା ଲାଗି ଓଡିଶା ସରକାର ନିଷ୍ପତି ନେଇଛନ୍ତି । ସେହିଅନୁଯାୟୀ ଓଡିଶାକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ୱାରା ବହନ କରାଯିବ ବୋଲି ଘୋଷଣା କରାଯାଇଛି । ସେଥିପାଇଁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
ପ୍ରବାସୀ ଓଡିଆ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନ୍ ରେ ରଖାଯିବ । ସେମାନଙ୍କ ପାଇଁ ରାଜ୍ୟରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯିବ । ସେମାନଙ୍କର ସୁବିଧା ଓ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥାମାନ କରାଯିବ । ସେଥିପାଇଁ ଜଣକ ପିଛା କେତେ ଟଙ୍କା ଖର୍ଚ୍ଚ ହେବ ସେନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
କ୍ୱାରେଣ୍ଟାରେ ରହିବା ପାଇଁ ଏକ ସାରଣୀ ପ୍ରସ୍ତୁତ କରାଯାଇଛି । ଖାଦ୍ୟ ବାବଦରେ ସାବାଳକ ପାଇଁ ମୁଣ୍ଡ ବିଛା ୧୨୦ ଟଙ୍କା ଖର୍ଚ୍ଚ ହେବ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍ ହୋଇଥାନ୍ତି ତେବେ ସେମାନଙ୍କ ଲାଗି ୧୦୦ ଟଙ୍କା ଖର୍ଚ୍ଚ ହେବ । ଏହାସହିତ ପ୍ରତ୍ୟେକ ଦିନ ଜଳଖିଆ ସକାଳ ୮ଟାରୁ ୯ଟା ଭିତରେ ଦିଆଯିବ, ସେହିପରି ମଧ୍ୟାହ୍ନ ଭୋଜନ ୧୨ଟା୩୦ରୁ ୨ଟା ଭିତରେ, ଚା’ ଓ ବିସ୍କୁଟ ସଂଧ୍ୟା ସମୟରେ, ଏବଂ ରାତ୍ରି ଭୋଜନ ୭ଟାରୁ ୯ଟା ଭିତରେ ଦିଆଯିବ । ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଚ୍ଛତା ପାଇଁ ୩୦୦ ଟଙ୍କା ଖର୍ଚ୍ଚ ହେବ । ସେହିଅନୁଯାୟୀ ସଙ୍ଗରୋଧ ବେଳେ ସମସ୍ତେ ସ୍ୱଚ୍ଛତା ପାଇଁ ସାବୁନ୍, ତେଲ, ମାସ୍କ, ସାନିଟାଇଜର, ବାଲଟି, ମଗ ଆଦି ଯୋଗାଇ ଦିଆଯିବ । ଦୁଇଟି ବେଡସିଟ୍ ଏବଂ ଦୁଇଟି ତକିଆ ଖୋଲ ପ୍ରତ୍ୟେକ ବେଡ୍ ପିଛା ଦିଆଯିବ । ଅନ୍ୟପଟେ ସେହି ସ୍ଥାନ ଗୁଡିକ ସଫାସୁତୁରା ବା ସାନିଟାଇଜ୍ କରିବା ପାଇଁ ପ୍ରତିଦିନ ୨ ହଜାର ଟଙ୍କା ଖର୍ଚ୍ଚହେବ । ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କର ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ କେତେ ଖର୍ଚ୍ଚ ହେଉଛି ସେନେଇ ରେଜିଷ୍ଟରରେ ଲେଖାଯିବ ।