ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳେ ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ୩ ଜଣ ମୟୂରଭଞ୍ଜ ଜିଲ୍ଲାର । ତେବେ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୨୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଅନ୍ୟପଟେ ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରିଛନ୍ତି ସରକାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ପୂର୍ବରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଧିନରେ ଥିବା ଅଞ୍ଚଳକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ମୋଟ ୧୪୨ଟି ସକ୍ର୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।