ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଯେଉଁ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି ସେହି ଅଞ୍ଚଳକୁ ପ୍ରଶାସନ ତରଫରୁ ସିଲ୍ କରିଦିଆ ଯାଉଛି । ତେବେ ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଛି ଜାଗାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରାଶାସନ । ଘୋଣଷ କରାଯାଇଥିବା କଣ୍ଟେନମେଣ୍ଟ ଜୋନ୍ ରେ ଥିବା ପ୍ଲାଣ୍ଟ ସାଇଟ ବସ୍ତି ପାଖରେ ଆଜି ସକାଳେ ଉତ୍ତେଜନା ଦେଖାଯାଇଛି । ବସ୍ତି ଲୋକ ମାନେ ମିଶି କଣ୍ଟେନମେଣ୍ଟ ଜୋନ୍ ରୁ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ । ଫଳରେ ପୋଲିସ ଓ ବସ୍ତି ଲୋକ ମାନଙ୍କ ଭିତରେ ଉତ୍ତେଜନା ଦେଖାଯାଇଥିଲା ।
ବସ୍ତି ଲୋକ ମାନେ ବଜାରକୁ ଯାଇ ଜିନିଷ କିଣିବେ ବୋଲି ଜିଦ୍ କରି ରାସ୍ତାରେ ବସି ଥିଲେ । ସେଠାକାର ଲୋକଙ୍କ ଅଭିଯୋଗ ଥିଲା ଯେ, ସେମାନଙ୍କ ପାଖକୁ ଅତ୍ୟାବଶ୍ୟକ ଜିନିଷ ପ୍ରଶାସନ ଯୋଗାଇ ଦେଉନାହିଁ । ତେଣୁ ସେମାନେ ଏକାଠି ହୋଇ ଏଭଲି ବଜାରକୁ ଯିବାକୁ ବାହାରି ଥିଲେ । ଉତ୍ତେଜନା ବଢିବାରୁ ସେଠାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ପୂର୍ବରୁ ଗତ ୪ ତାରିଖରେ ରାଉରକେଲା କଣ୍ଟେନମେଣ୍ଟ ଜୋନରେ ପୋଲିସ ଉପରକୁ ପଥର ମାଡ ହେବା ସହ ବ୍ୟାରିକେଡ ଭାଙ୍ଗି ଦେଇଥିଲେ କିଛି ଲୋକ । ବାରାମ୍ବାର ରାଉକେଲା କଣ୍ଟେନମେଣ୍ଟ ଜୋନ୍ ରେ ଉତ୍ତେଜନା ଦେଖା ଯାଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।