ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବର୍ତ୍ତମାନ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ମାନେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ଗତକାଲି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଥିରେ ହାଇକୋର୍ଟ କହିଥିଲେ ଯେ, ପ୍ରବାସୀ ଓଡିଆ ମାନେ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ କରାଯିବ । ଯଦି ରିପୋର୍ଟ ନେଗେଟିଭ ଆସେ ତେବେ ସେମାନଙ୍କୁ ଓଡିଶା ପ୍ରବେଶ କରିବାକୁ ନିଷ୍ପତି ଦିଆଯିବ । ମାତ୍ର ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ.କେ.କାଉଲ୍ ଏବଂ ଜଷ୍ଟିସ୍ ବି ଆର ଗବାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି।
ଖଣ୍ଡପୀଠ ଦ୍ୱାରା କୁହାଯାଇଛି ଯେ, ଓଡିଶା ହାଇକୋର୍ଟ ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ପ୍ରବେଶ ଉପରେ ଦେଇଥିବା କଟକଣା ଉପରେ ଆମେ ନିଷେଧ କରି ଏହାକୁ ସ୍ଥଗିତ ରଖୁଛୁ । ତେବେ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବାରୁ ପ୍ରବାସୀ ଓଡିଆ ମାନେ ବହୁ ଦିନ ହେବ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି । ସେମାନଙ୍କୁ ଆଣିବା ପଇଁ ରାଜ୍ୟ ସରକାର ପ୍ରୟାଶ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୬୩୮୩ ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଆସି ସାରିଲେଣି । ଅନ୍ୟପଟେ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମନ୍ତ୍ରୀ ନବ ଦାସ ପ୍ରବାସୀ ଓଡିଆ ମାନେ ଓଡିଶା ଆସିବା ପୂର୍ବରୁ ଯେଉଁ ରାଜ୍ୟରୁ ଆସୁଛନ୍ତି ସେହି ରାଜ୍ୟ ସେମାନଙ୍କର କୋଭିଡ ପରୀକ୍ଷା କରାଇବାକୁ ଦାବି କରିଛନ୍ତି ।