କଟକ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ସମୟରେ ସ୍କୁଲ ଗୁଡିକରେ ଅନଲାଇନ୍ ଯୋଗେ ପାଠ ପଢା ହେଉଛି । ଏହି ସୁବିଧାରୁ ଯେପରି କୌଣସ ଛାତ୍ରଛାତ୍ରୀ ବଞ୍ଚିତ ନହେବେ ସେନେଇ ସରକାର ପଦକ୍ଷେପ ଗ୍ରହଣ କରିବେ । ଏହାସହିତ ସ୍କୁଲ ଫି ଛାଡ କୁ ନେଇ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ କନଫେଡେରେସନ୍ ଅଫ୍ ଓଡିଶା ପବ୍ଲିକ ସ୍କୁଲ ପକ୍ଷରୁ ଦାଖଲ ହୋଇଥିବା ଇଂଟରଭେନସନ ପିଟିସନକୁ ହାଇକୋର୍ଟ ଗ୍ରହଣ କରିବା ସହ ସ୍କୁଲ ଫି ଛାଡ ମାମଲାର ଶୁଣାଣି ମେ ୨୬ ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ଅବିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏ ସମ୍ପର୍କିତ ମାମଲର ଶୁଣାଣି କରି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମହାମାରୀ କରୋନା ପାଇଁ ଜଟିଳ ପରିସ୍ଥିତି ଉପୁଜିଛି ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ସ୍କୁଲ ଫି ଛାଡ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଏଥିରେ ଦର୍ଶାଯାଇଛି କି, ମହାମାରୀ କରୋନା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସବୁ କିଛି ବନ୍ଦ ରହିଛି । ଯାହାଫଳରେ ଏବେ ଲୋକଙ୍କର କୌଣସି ପ୍ରକାରର ରୋଜଗାର ନାହିଁ । ଯେଉଁଥି ପାଇଁ ଆର୍ଥିକ ସମସ୍ୟା ଉପୁଜିଛି । ଏସବୁକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକ ସେମାନଙ୍କ ସ୍କୁଲ ଫି ଛାଡ ବା ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଏପ୍ରିଲ ୧୦ ତାରିଖରେ ପରାମର୍ଶ ଦେଇଥିଲେ । ଏହାସହିତ ସ୍କୁଲ ଗୁଡିକ ସ୍କୁଲ ଫି ବୃଦ୍ଧି ନକରିବାକୁ କୁହାଯାଇଥିଲା । କିନ୍ତୁ ଏହାପରେ ବି ଘରୋଇ ସ୍କୁଲ ଗୁଡିକ ସେମାନଙ୍କ ମନ ଇଛା ଅବିଭାବକଙ୍କୁ ସ୍କୁଲ ଫି ଆଦାୟ ପାଇଁ ବାଧ୍ୟ କରୁଛନ୍ତି । ଏହାସହିତ କେତେକ ସ୍କୁଲ ବି ସେମାନଙ୍କ ଫି ମଧ୍ୟ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି । ସ୍କୁଲ ବନ୍ଦ ଥିବା ବେଳେ ବି ଟ୍ୟୁସନ ଫି, ଡେ ବୋର୍ଡ ଫି ଏବଂ ଅନ୍ୟାନ୍ୟ ଫି ପାଇଁ ଅବିଭାବକଙ୍କୁ ବାଧ୍ୟ କରାଯାଉଛି । କେବଳ ଏତିକି ନୁହେଁ ବର୍ତ୍ତମାନ ପରିସ୍ଥିତିରେ ଅନଲାଇନ୍ ଯୋଗେ ପିଲାମାନଙ୍କୁ ପାଠ ପଢାଯାଉଛି, ମାତ୍ର ଯେଉଁ ଅବିଭାବକ ସେମାନଙ୍କ ପିଲାଙ୍କର ସ୍କୁଲ ଫି ପଇଠ କରି ନାହାନ୍ତି ସେହି ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢା ପାଇଁ ପାସୱାଡ ଦିଆଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।