ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅପରାହ୍ନ ୪ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିବେ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହି ଆର୍ଥିକ ପ୍ୟାକେଜକୁ କିଭଳି ଭାବେ ଭିନ୍ନ ଭିନ୍ନ ସେକ୍ଟରରେ ଲଗାଯିବ ସେନେଇ ସୀତାରମଣ ଆଜି ଜଣାଇବେ ।
ସୂଚନାଯୋଗ୍ୟ,ଅର୍ଥମନ୍ତ୍ରୀ ଏହା ପୂର୍ବରୁ ମାର୍ଚ୍ଚ ଶେଷରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଥିଲେ । ଏହାବ୍ୟତିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୫.୨୪ ଲକ୍ଷ କୋଟି ଟଙ୍କା ଘୋଷଣା ବିଭିନ୍ନ ସେକ୍ଟର ପାଇଁ କରାଯାଇଛି । ଏହାକୁ ମିଶାଇ ୭ ଲକ୍ଷ କୋଟି ଟଙ୍କା ରୁ ଅଧିକ ପୂର୍ବରୁ ଘୋଷଣା ହୋଇସାରିଛି । ଆଉ ବଳକା ଥିବା ୧୩ ଲକ୍ଷ କୋଟି ଟଙ୍କା କେଉଁ କେଉଁ ସେକ୍ଟର ପାଇଁ ବଣ୍ଟା ଯିବ ସେନେଇ ଆଜି ସୀତାରମଣ ସୂଚନା ଦେବେ ।
ଗତକାଲି ରାତି ୮ଟାରେ ଦେଶବାସୀଙ୍କ ସମ୍ବଧିତ କରି ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ଏହି ଅବସରରେ ସେ କହିଥିଲେ କି, ଏହି ପ୍ୟାକେଜ ଜରିଆରେ ଦେଶର ବିଭିନ୍ନ ବର୍ଗକୁ ସହଯୋଗ ମିଳିବ । ଏହି ପ୍ୟାକେଜ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ନୂତନ ଗତି ଦେବ ।