ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଯେକୌଣସି ବି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନେଇ ଶନିବାର ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି । ଏହାସହିତ ଲକ୍ ଡାଉନ୍ ପାଇଁ ବିଭିନ୍ନ ଜିଲ୍ଲାରେ ଫସିଥିବା ପ୍ରବାସୀଙ୍କ ତାଲିକ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ସେ କହିଛନ୍ତି । ଏହାସହିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟର ନୋଡାଲ ଅଧିକାରୀଙ୍କ ସହିତ ରେଲୱେ ଦ୍ୱାରା ଚୟନିତ ନୋଡାଲ ଅଧିକାରୀଙ୍କ ସହ ତାଳମେଳ ରଖିବାକୁ ହେବ ।
ସେ କହିଛନ୍ତି କି, ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ଭାରତୀୟ ରେଲୱେ ଦେଶର ଯେକୌଣସି ବି ଜିଲ୍ଲାରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତ । ସେଥିପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଫସିଥିବା ଶ୍ରମିକ ଏବଂ ତାଙ୍କର ଗନ୍ତବ୍ୟ ତାଲିକା ପ୍ରସ୍ତୁତ କରି ରାଜ୍ୟର ନୋଡାଲ ଅଧିକାରୀଙ୍କ ଜରିଆରେ ଆବେଦନ କରିବାକୁ ହେବ ।
କିଛି ଦିନ ହେବ ପ୍ରବାସୀଙ୍କୁ ଘରକୁ ନେବା ଲାଗି ଟ୍ରେନ୍ ଚଳାଇବାର ମଞ୍ଜୁରୀ ଦେବା ଲାଗି ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ ପିୟୁଷ ଗୋୟଲ । ଏହି ଅପିଲ ବିଶେଷ କରି ଝାରଖଣ୍ଡ,ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଇଁ କରାଯାଇଛି ।
ଏହାପୂର୍ବରୁ ଭାରତୀୟ ରେଲୱେ ପକ୍ଷରୁ କୁହାଯାଇଛି କି, ମେ’ ୧ ରୁ ଏପର୍ଯ୍ୟନ୍ତ ୧୦୭୪ ଶ୍ରମିକ ବିଶେଷ ଟେନ୍ ପରିଚାଳନା କରାଯାଇଛି । ଏହାଦ୍ୱାରା ଲକ୍ ଡାଉନ୍ ପାଇଁ ଦେଶରେ ବିଭିନ୍ନ ଅଞ୍ଚଳରେ ଫସିିଥିବା ୧୪ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଁଚା ଯାଇସରିଲାଣି ।