ନୟାଗଡ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ତେବେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଜଣେ ସରପଞ୍ଚ । ନୟାଗଡ ଜିଲ୍ଲା କୁରାଳ ପଞ୍ଚାୟତର ସରପଞ୍ଚ ଝିଲି ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୪୮ ଘଣ୍ଟା ପାଇଁ ପଞ୍ଚାୟତକୁ ଶଟ୍ ଡାଉନ୍ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରପଞ୍ଚ । ଆଜି ସଂନ୍ଧ୍ୟା ୬ଟାରୁ ଏହା ଲାଗୁ ହେବ ।
ଶଟ୍ ଡାଉନ୍ ସମୟରେ ଲୋକ ମାନେ ଘରେ ରହିବା ସହ ଦୋକାନ ବଜାର ବନ୍ଦ ରହିବ । କଡାକଡି ଭାବେ ଏହି ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରପଞ୍ଚ । ତେବେ କୁରାଳ ପଞ୍ଚାୟତକୁ ପ୍ରବାସୀ ଓଡିଆ ମାନେ ଫେରୁଛନ୍ତି । ଏହାକୁ ନଜରରେ ରଖି ସରପଞ୍ଚ ଏଭଳି ପଦକ୍ଷେପ ନେଇଛନ୍ତି । ସୂଚନା ଯୋଗ୍ୟ ରାଜ୍ୟରେ ଆଜି ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନୟାଗଡରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ନୟାଗଡରେ ମୋଟ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ମାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।