ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମଦୁଆ ମାନଙ୍କ ପାଇଁ ଖୁସି ଖବର । କାଲି ଠାରୁ ଅନ୍ ଲାଇନ୍ ରେ କରି ହେବ ମଦ ଅଡର । ଏନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ମଦ ଦୋକାନରେ ଭିଡ ଏଡେଇବା ପାଇଁ ସରକାର ମଦର ହୋମ୍ ଡେଲିଭରି କରିବା ପାଇଁ ନିଷ୍ପତି ନେଇଥିବାର ସୂଚନା ମିଳିଛି । ତେବେ ତୃତୀୟ ପର୍ଯ୍ୟାୟର ଲକ୍ ଡାଉନ୍ ଆରମ୍ଭ ହେବା ଦିନ ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା । କିଛି ରାଜ୍ୟରେ ମଦ ଦୋକାନ ଖୋଲା ଯାଇଥିଲା । ହେଲେ ମଦ ଦୋକାନ ଆଗରେ ନାହିଁ ନଥିବାର ଭିଡ ଦେଖିବାକୁ ମିଳିଥିଲା । ଏହା ସହ କୋଭିଡ-୧୯ ନିୟମ ଭଙ୍ଗ ହେଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ସୁପ୍ରୀମ କୋର୍ଟ ପକ୍ଷରୁ ଏକ ରାୟ ଶୁଣାଣୀ କରାଯାଇ ରାଜ୍ୟ ସରକାର ଚାହିଁଲେ ମଦ ଦୋକାନ ଖୋଲି ପାରିବେ ଓ ଏହା ସହ ମଦର ହୋମ୍ ଡେଲିଭରି ସରକାର କରି ପାରିବେ ବୋଲି ସୁପ୍ରୀମ କୋର୍ଟ ପକ୍ଷରୁ କୁହାଯାଇଥିଲା ।
ତେବେ ଓଡିଶାରେ ମଦ ଦୋକାନ କେବେ କୋଲିବ ସେନେଇ ଦ୍ୱନ୍ଦରେ ରହିଥିଲେ ଗ୍ରାହକ ମାନେ । ତେବେ ଆସନ୍ତାକାଲିଠୁ ରାଜ୍ୟରେ ମଦର ହୋମ୍ ଡେଲିଭରି ହେବ । କଣ୍ଟେନମେଣ୍ଟ ଜୋନ୍ ଓ ସପିଂ ମଲ୍ରେ ଏହି ସୁବିଧା ମିଳିବ ନାହିଁ। ବିଦେଶୀ ମଦ, ବିୟର ଉପରେ ସ୍ପେଶାଲ କୋଭିଡ୍ ଫି ଲାଗିବ। ଅର୍ଥାତ ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ। ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ମଦ ଦୋକାନୀମାନେ ନିଜ ହିସାବରେ ପିଲା ରଖି ଘରେ ମଦ ପହଞ୍ଚାଇ ପାଇବେ ବୋଲି ସୂଚନା ମିଳିଛି। ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ୍ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିପାରେ। ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ ବୋଲି ପ୍ରସ୍ତାବ ରହିଛି। ହୋମ୍ ଡେଲିଭରି କରିବାର ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଭିତରେ ହେବ। ଅର୍ଡର ହେବାର ଛଅ ଘଣ୍ଟା ଭିତରେ ମଦ ଗ୍ରାହକଙ୍କ ପାଖରେ ଡେଲିଭର ହୋଇଯିବ।