ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଏହାକୁ ନଜରରେ ରଖି ୬ଟି ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ମାଟ୍ରିକ ଖାତା ଦେଖା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଜିଲ୍ଲା ଗୁଡିକ ହେଉଛି ସମ୍ଭଲପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କେନ୍ଦୁଝର ଓ ବରଗଡ । ଅଧ୍ୟାପକ ମାନେ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ନମ୍ବର ଏଣ୍ଟ୍ରି କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୬ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଅଧିକାରୀ ମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି ।
ସୂଚନା ଯୋଗ୍ୟ ଚଳିତ ବର୍ଷ ସାଢେ ୫ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସରିବା ପରେ ମାତ୍ର ଗୋଟାଏ ଦିନ ଖାତା ଦେଖା ହୋଇଥିଲା । ଏହାପରେ କରୋନା ମହାମାରୀ ବ୍ୟପିବାରୁ ଖାତା ଦେଖା ବନ୍ଦ କରିଦିଆ ଯାଇଥିଲା । ପରେ ଗତ ମେ’୨୦ ତାରିଖରୁ ଖାତା ଦେଖା ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ ବାତ୍ୟା ଅମ୍ପାନ ଯୋଗୁ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ତେବେ ବାତ୍ୟା ଯୋଗୁ ରାଜ୍ୟରେ କିଛି ଯାଗା କ୍ଷୟକ୍ଷତି ହୋଇଥିବାରୁ ଖାତା ଦେଖାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ଗତ ୨୬ ତାରିଖରୁ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଛି । ୪୫ ଦିନ ଭିତରେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।