ପୁରୀ(ଏଟିଆର ବ୍ୟୁରୋ): ଆସନ୍ତା ଜୁନ ୫ ତାରିଖରେ ମହାପ୍ରଭୁଙ୍କର ସ୍ନାନ ଯାତ୍ରା । ଏହାକୁ ନଜରରେ ରଖି ଆଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥଶ(ଏଏସଆଇ) ପକ୍ଷରୁ ସ୍ନାନ ମଣ୍ଡପକୁ ଯାଞ୍ଚ କରାଯାଇଛି । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ଟିମ ସ୍ନାନ ମଣ୍ଡପକୁ ଯାଞ୍ଚ କରିଛି । ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ସ୍ଥିତିକୁ ମଧ୍ୟ ଯାଞ୍ଚ କରାଯାଇଛି । ଆଗକୁ ରଥଯାତ୍ରା ଥିବାରୁ ଏଭଳି ଯାଞ୍ଚା କିଛି ଦିନ ବ୍ୟବଧାନରେ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଚଳିତ ବର୍ଷ କରୋନା ମହାମାରୀ ବ୍ୟାପିଥିବାରୁ ଦୁଇ ମାସରୁ ଅଧିକ ଦିନ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରିଦିଆଯାଇଛି ।
ସେହିପରି ରଥ ନିର୍ମାଣ କାମ ମଧ୍ୟ ଚଳିତ ବର୍ଷ ଡେରିରେ ଆରମ୍ଭ କରାଯାଇଛି । ଆଗକୁ ସ୍ନାନ ପୂର୍ଣ୍ଣିମା ଥିବାରୁ ଅଳ୍ପ ସେବାୟତ ମାନଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ସେହିଭଲି କରୋନା ମହାମାରୀ ବ୍ୟାପୁଥିବାରୁ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସେବାୟତ ମାନଙ୍କର କରୋନା ଟେଷ୍ଟ କରାଯାଇଛି । ଗତକାଲି ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ କରୋନା କଟକଣା ମାନି ଓ ବିନା ଭକ୍ତଙ୍କ ସମାଙ୍ଗମରେ ରଥଯାତ୍ରା ଅନୁଷ୍ଠିତ ହୋଇ ପାରି ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।