ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଦେଶରେ ଅନଲକ୍ ୧ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରୁ ସାଧାରଣ ଜନତାଙ୍କୁ ବଡ ଝଟକା ଲାଗିଛି । ଦେଶର ତେଲ ମାର୍କେଟିଂ କମ୍ପାନୀ ପକ୍ଷରୁ ବିନା ସବସିଡି ଯୁକ୍ତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି । ଆଜିଠାରୁ ୧୯ କିଲୋଗ୍ରାମ ଏବଂ ୧୪ କିଲୋଗ୍ରାମ ର ବିନା ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ପ୍ରତ୍ୟେକ ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦର ସମୀକ୍ଷା କରିଥାଏ କମ୍ପାନୀ । ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ଟ୍ୟାକ୍ସ ଲାଗୁ ହୋଇଥାଏ । ସେହିଅନୁଯାୟୀ ଏଲପିଜି ଦର ନିର୍ଦ୍ଧାରିତ ହୋଇଥାଏ ।
ଆଇଓସିଏଲ ର ୱେବସାଇଟ ମୁତାବକ, ଦିଲ୍ଲୀରେ ୧୪.୨ କିଲୋଗ୍ରାମର ବିନା ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଛି । ଏହାପରେଏହାର ଦାମ ୫୯୩ ଟଙ୍କା ହୋଇ ଯାଇଛି । ଯାହା ପୂର୍ବରୁ ୫୮୧.୫୦ ଟଙ୍କା ରହିଥିଲା । ସେହିପରି କୋଲକାତାରେ ସିଲିଣ୍ଡରର ଦାମ୍ ୫୮୪.୫୦ ଟଙ୍କାରୁ ବୃଦ୍ଧି ହୋଇ ୬୧୬ ହୋଇଯାଇଛି । ମୁମ୍ବାଇରେ ଏହା ୫୭୯ ରୁ ବୃଦ୍ଧି ହୋଇ ୫୯୦.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ଏହାର ଦାମ୍ ୫୬୯.୫୦ ରୁ ବୃଦ୍ଧି ହୋଇ ୬୦୬.୫୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ଦିଲ୍ଲୀରେ ୧୯ କିଲୋଗ୍ରାମର ସିଲିଣ୍ଡରରେ ୧୧୦ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ସିଲିଣ୍ଡରର ଦାମ୍ ୧୧୩୯.୫୦ ଟଙ୍କା ହୋଇଛି । ଯାହା ପୂର୍ବରୁ ୧୦୨୯.୫୦ ଟଙ୍କା ରହିଥିଲା । ସେହିପରି କୋଲକାତାରେ ଏହାର ଦାମ୍ ୧୦୮୬ ଟଙ୍କାରୁ ବୃଦ୍ଧି ହୋଇ ୧୧୩୯.୫୦ ଟଙ୍କା ହୋଇଛି, ମୁମ୍ବାଇରେ ୯୭୮ ଟଙ୍କାରୁ ବୃଦ୍ଧି ହୋଇ ୧୦୮୭ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୧୧୪୪.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୨୫୪ ଟଙ୍କା ହୋଇ ଯାଇଛି ।