ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ଥିବା ଏକ ଛୋଟିଆ ସହର ହେଉଛି ପୁରୀ ସହର । ଏହି ସହର ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ଖୁବ୍ ପ୍ରସିଦ୍ଧ । ଏହାବ୍ୟତୀତ ଅନେକ ଦେବା-ଦେବୀ ମନ୍ଦିର ମଧ୍ୟ ରହିଛି । ଏବଂ ସେଠାରେ ଥିବା ବେଳାଭୂମି ଆକର୍ଷଣର କେନ୍ଦ୍ରବିନ୍ଦୁ । ସମୁଦ୍ର କବଳରୁ ପୁରୀ ସହରକୁ ରକ୍ଷା କରିବା ପାଇଁ ପେଣ୍ଠକଟା ସ୍ଥିତ ଚକ୍ରନାରାୟଣ ମନ୍ଦିରର ପଶ୍ଚିମ କୋଣରେ ଏକ ଛୋଟିଆ ମନ୍ଦିର ଅବସ୍ଥିତ । ଯାହାର ନାମ ହେଉଛି ଦରିଆ ମହାବୀର । ସ୍ଥାନୀୟ ଭାଷା ଅନୁଯାୟୀ ଦରିଆ ଅର୍ଥ ହେଉଛି ସମୁଦ୍ର ଏବଂ ମହାବୀର ଭଗବାନ ହନୁମାନଙ୍କର ଅନ୍ୟ ଏକ ନାମ ।
ସାଂସ୍କୃତିକ ଇତିହାସରେ ଏହି ମନ୍ଦିର ପୁରୀର ଏକ ବିଶିଷ୍ଟ ମନ୍ଦିର ଅଟେ । ମନ୍ଦିରର ଚତୁଃପାଶ୍ୱର୍ରେ ବିଭିନ୍ନ ଦେବା-ଦେବୀ ବିରାଜମାନ ଅଛନ୍ତି । ମନ୍ଦିରର ବାହାର କାନ୍ଥରେ ଯେପରିକି ଅଞ୍ଜନା ମାତା ତାଙ୍କ କୋଳରେ ଏକ ଛୋଟ ଶିଶୁକୁ ଧରିଛନ୍ତି, ପଶ୍ଚିମରେ ଏକ ମାତାଙ୍କ ମୁର୍ତ୍ତି, ଦକ୍ଷିଣ ଦିଗରେ ଭଗବାନ ଗଣେଶ ଏବଂ ମଝିରେ ସ୍ୱୟଂ ଭଗବାନ ହନୁମାନ ଗୋଟେ ହାତରେ ଲଡୁ ଓ ଅନ୍ୟ ହାତରେ ଗଦା ଧରି ବିରାଜମାନ ଅଛନ୍ତି । ଏହି ମନ୍ଦିରର ମୁଖ୍ୟ ପର୍ବ ଗୁଡିକ ହେଲା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତି, ରାମ ନବମୀ ଆଦି ପାଳନ କରାଯାଇଥାଏ । ଏବଂ ଏହି ଦିନମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ ।
ଏହି ମନ୍ଦିର ବେଡୀ ହନୁମାନ ମନ୍ଦିର ନାମରେ ବେଶ ଜଣାଶୁଣା । ବିଶ୍ୱାସ ରହିଛି ଯେ ଦରିଆ ମହାବୀର ଶଙ୍ଖ କ୍ଷେତ୍ର ପୁରୀକୁ ସମୁଦ୍ରର କ୍ରୋଧରୁ ରକ୍ଷା କରିଥାନ୍ତି । ଯେତେବେଳେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଗଲା ସେତେବେଳେ ସମ୍ମାନ ଜଣାଇବା ପାଇଁ ସମୁଦ୍ର ଦେବତା ବରୁଣ ଜଗନ୍ନାଥ ମନ୍ଦରକୁ ଜାଇଥିଲେ । ସେହି ସମୟରେ ସମୁଦ୍ର ପାଣି ପ୍ରବେଶ କରିଥିଲା ପୁରୀ ସହର ଭିତରେ । ଏହାଦ୍ୱରା ଅନେକ ମନ୍ଦିର ଏବଂ ପୁରୀ ସହରର କ୍ଷତି ଗସ୍ତ ହୋଇଥିଲା । ଏହି କ୍ଷତି ହେବା ପରେ ଭକ୍ତମାନେ ଭଗବାନ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ଏବଂ ଜଗନ୍ନାଥ ମହାପ୍ରଭୁ ହନୁମାନଙ୍କୁ ପ୍ରଶ୍ନ କରିଥିଲେ ଯେ ,‘ତୁମେ ଉପସ୍ଥିତ ଥିବା ସତ୍ୱେ ସମୁଦ୍ର କିପରି ସହର ଭିତରକୁ ପ୍ରବେଶ କଲା’ ।
ହନୁମାନ ଉତ୍ତର ଦେଇ କହିଥିଲେ ଯେ, ‘ମୁଁ ସେହି ସମୟରେ ଉପସ୍ଥିତ ନଥିଲି । ଆପଣଙ୍କୁ ନଜଣାଇ ମୁଁ ଅଯୋଧ୍ୟା ଭ୍ରମଣରେ ପଳାଇଥିଲି’ । ତାହା ଶୁଣିବା ପରେ ଜଗନ୍ନାଥ , ହନୁମାନଙ୍କର ହାତ ଏବଂ ଗୋଡ ଏକ ଦଉଡି(ବେଡି)ରେ ବାନ୍ଧି ଦେଇଥିଲେ । ଏବଂ ତାଙ୍କୁ ଦିନ ଓ ରାତି ସମୁଦ୍ର କୂଳରେ ସତର୍କ ରହିବା ପାଇଁ କହିଥିଲେ । ସେବେ ଠାରୁ ବେଡି ହନୁମାନ ନାମରେ ପ୍ରସିଦ୍ଧ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପୁରୀ ସହରରେ ପ୍ରବେଶ କରି ପାରି ନାହିଁ ସମୁଦ୍ର ।