ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି କି, କରୋନା ଭାଇରସ ଯୋଗୁଁ ଲକ୍ ଡାଉନ୍ ଅବସରରେ ଶ୍ରମିକଙ୍କୁ ପୂର୍ଣ୍ଣ ବେତନ ଦେଉନଥିବା ଘରୋଇ କମ୍ପାନୀ ବିରୋଧରେ ଜୁଲାଇ ଶେଷ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ୍ ସଞ୍ଜୟ କିଶନ ଏବଂ ଜଷ୍ଟିସ ଏମ ଆର ଶାହାଙ୍କ ଖଣ୍ଡପୀଠ କହିଛନ୍ତି କି ଉଦ୍ୟୋଗ ଏବଂ କର୍ମଚାରୀଙ୍କୁ ଉଭୟଙ୍କ ଆବଶ୍ୟକତା ରହିଛି ଏବଂ ସେମାନଙ୍କର ପାରିଶ୍ରମିକ ଦେବାର ପ୍ରସଙ୍ଗରେ ଏକାଠି ବସି ସମାଧାନ କରିବା ଉଚିତ୍ ।
ଭିଡିଓ କନଫରେନସିଙ୍ଗ ଜରିଆରେ ଘରୋଇ କମ୍ପାନୀର ପିଟିସନ୍ ଉପରେ ପୀଠ ପକ୍ଷରୁ ଆଦେଶ ଶୁଣାଇବା ସହ ରାଜ୍ୟ ସରକାର ମାନଙ୍କୁ କୁହାଯାଇଛି କି, ସେମାନେ ଏଭଳି ସମାଧାନର ପ୍ରକ୍ରିୟା ଆପଣାନ୍ତୁ ଏବଂ ଏହି ପ୍ରସଙ୍ଗରେ ସମ୍ବନ୍ଧିତ ରିପୋର୍ଟ ଶ୍ରମାୟୁକ୍ତରେ ଦାଖଲ କରନ୍ତୁ । ଏହାରି ମଧ୍ୟରେ କେନ୍ଦ୍ରକୁ ଗୃହମନ୍ତ୍ରାଳୟର ୨୯ ମାର୍ଚ୍ଚ ସର୍କୁଲାରର ବୈଧତା ବିଷୟରେ ଚାରି ସପ୍ତାହ ଭିତରେ ଏକ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ସର୍କୁଲାରରେ କୁହାଯାଇଥିଲା କି ଲକ୍ ଡାଉନ୍ ଅବସରରେ ଘରୋଇ କମ୍ପାନୀ ତାଙ୍କ କର୍ମଚାରୀଙ୍କୁ ପୂର୍ଣ୍ଣ ପାରିଶ୍ରମିକ ଦେବେ । ଏହି ମାମଲାର ଶୁଣାଣି ଜୁଲାଇ ଶେଷ ସପ୍ତାହରେ କରାଯିବ ବୋଲି ପୀଠ ଚୁକ୍ତିବଦ୍ଧ କରିଛି ।