ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ଚଳଚ୍ଚିତ୍ର ଜଗତର ଏକ ବିଶିଷ୍ଟ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ । ଶୁକ୍ରବାର ଦିନ ସକାଳେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେଲଟର ଛକ ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
‘ଯାଯାବର’ ସିନେମାରେ ଅଭିନୟ ଆରମ୍ଭ କରି ଘରେ ଘରେ ପରିଚିତ ଅନିତା ପ୍ରାୟ ଶହେରୁ ଅଧିକ ସିନେମାରେ କାମ କରିସାରିଛନ୍ତି । ତାଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ପୁଅ ମୋର କଳା ଠାକୁର, ରାମାୟଣ, ସ୍ୱପ୍ନସାଗର, ଅକ୍ଷୀ ତୃତୀୟା, ତପସ୍ୟା, ମା ଓ ମମତା, ଜଗାବଳିଆ, ଫୁଲଚନ୍ଦନ ଆଦି ।
ଏବେ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଓଡିଆ ସିନେମାର ଅନେକ କଳାକାରମାନେ ପହଁଞ୍ଚିବା ଆରମ୍ଭ କଲେଣି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତୁରା ଆକାଶ ଦାଶନାୟକ ଉପସ୍ଥିତ ଅଛନ୍ତି ।
ମା’ ଭୂମିକାରେ ଅଭିନୟ କରି ସେ ଚଳଚ୍ଚିତ୍ର ଜଗତରେ ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁ ଖବର ଆସିବା ପରେ ପୂରା ଓଲିଉଡ ସ୍ତବ୍ଧ ହୋଇଯାଇଛି ।