ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀରେ କରୋନା ସଂକ୍ରମଣରେ ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ଆଲୋଚନା କରିବା ଲାଗି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବୈଠକଟି ସକାଳ ୧୧ ଟାରେ ଡକାଯାଇଛି । ଏହି ବୈଠକରେ ଆମ୍ ଆଦମି ପାର୍ଟି, କଂଗ୍ରେସ, ବିଜେପି ଏବଂ ବହୁଜନ ସମାଜବାଦି ପାର୍ଟିର ନେତା ସାମିଲ ହେବେ ।
ଦିଲ୍ଲୀରେ ରବିବାର ଦିନ କୋଭିଡ୧୯ ର ସର୍ବାଧିକ ୨୨୨୪ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ଟପିଯାଇଛି । ସେହିପରି ଦିଲ୍ଲୀରେ କୋଭିଡ୧୯ ମୃତ୍ୟୁ ଜନିତ ସଂଖ୍ୟା୧୩୨୭ରେ ପହଁଚିଛି ।ଏନେଇ ଗୃହମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ , ଅମିତ ଶାହା ରାଜନୈତିକ ଦଳମାନଙ୍କ ସହ କୋଭିଡ୧୯ ର ମୁକାବିଲା ନେଇ ଆଲେଚନା କରିବେ ।
ମହାମାରୀରୁ ରକ୍ଷା ପାଇବା ପାଇଁ ଗୃହମନ୍ତ୍ରୀ ରବିବାର ଦିନ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବ୍ୟାଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀର ତିନି ନଗର ନିଗମର ମହାପୌର ଏବଂ ଆୟୁକ୍ତଙ୍କ ସହିତ ଦୁଇଟି ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଅନୀଲ ବ୍ୟାଜଲ ଏବଂ କେଜ୍ରିୱାଲଙ୍କ ସହିତ ବୈଠକ କରିବା ପରେ ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଉପାୟ ଘୋଷଣା କରି ଶାହା କହିଛନ୍ତି କି, ଆଗାମୀ ଦୁଇ ଦିନ ମଧ୍ୟରେ କୋଭିଡ୧୯ ଟେଷ୍ଟର ସଂଖ୍ୟା ଦୁଇଗୁଣା କରାଯିବ ଏବଂ ଏହାପରେ ଏହାକୁ ତିନି ଗୁଣା କରାଯିବ ।