ପୁରୀ(ଏଟିଆର ବ୍ୟୁରୋ):ସ୍ନାନ ପୁର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଅଣବସର ଘରେ । ଜ୍ୱରରେ ପିଡୀତ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ସେବାୟତ ମାନେ ଏବେ ଗୁପ୍ତ ନିତି କରୁଛନ୍ତି । ତେବେ ଆଜି ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଛି । ଏହାକୁ ରାଜବୈଦମାନେ ପ୍ରସ୍ତୁତ କରିଛନ୍ତି । କୃଷ୍ଣପର୍ଣ୍ଣି , ବେଳ, ଅଗବଥ, ଗୋଖରା ,ନବଙ୍କଡି, ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା ଆଦିକୁ ଚୁର୍ଣ୍ଣ କରି ସେଥିରେ ଘିଅ, ମହୁ, ଖୁଆ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରାଯାଇଛି ।
ଦଶମୀରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଏକାଦଶୀରେ ମହାପ୍ରଭୁଙ୍କୁ ସେବନ କରିବା ପାଇଁ ଦିଆଯିବ । ଏହା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ମହାପ୍ରଭୁ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ଦୁଇ ଦିନ ଦଶମୀ ହୋଇଥିବାରୁ ଗତକାଲି ଦଶମୂଳକ ମୋଦକ ଶ୍ରୀମନ୍ଦିରକୁ ଆସିଛି । ଆସନ୍ତା କାଲି ଏହା ମହାପ୍ରଭୁଙ୍କ ନିକଟରେ ଲାଗି ହେବ । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି ସମ୍ପନ୍ନ ହେବ ।