ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ସୋମବାର ଭାରତ ଏବଂ ଚୀନ ର କମାଣ୍ଡର ମଧ୍ୟରେ ଏଲଏସି ର ସ୍ଥିତିରେ ସୁଧାର ଆଣିବା ପାଇଁ ଆଲୋଚନା ହୋଇଛି । ଏହାରି ମଧ୍ୟରେ ସୋମବାର ରାତିରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଋଷ ଗସ୍ତରେ ଋଷରେ ପହଁଚିଛନ୍ତି ।
ଅନ୍ୟପଟେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଋଷ- ଭାରତ ଏବଂ ଚୀନ(ଆରଆଇସି) ର ବିଦେଶ ମନ୍ତ୍ରୀଙ୍କ ଏକ ବୈଠକରେ ସାମିଲ ହେବେ । ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ପ୍ରଥମ ଥର ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କର ଚୀନ୍ ସମକକ୍ଷ ୱାଙ୍ଗ ୟି ଙ୍କ ସହିତ ବୈଠକ କରିବେ ।
ଦିଲ୍ଲୀରୁ ମସ୍କୋ ପାଇଁ ଯାତ୍ରା କରିବା ପୂର୍ବରୁ ରାଜନାଥ ସିଂ ଟ୍ୱିଟ୍ କରି କହିଥିଲେ କି, ତିନି ଦିନିଆ ଋଷ ଗସ୍ତ କରୁଛି । ଋଷ ଯାତ୍ରା ଦ୍ୱାରା ଭାରତ-ଋଷ ରକ୍ଷା ଏବଂ ରଣନୀତିକ ବୁଝାବଣାକୁ ଆହୁରି ମଜବୁତ କରିବା ଉପାୟରେ ଆଲେଚନା କରିବାକୁ ମଉକା ମିଳିବ । ମସ୍କୋରେ ୭୫ତମ ବିଜୟ ଦିବସ ପରେଡରେ ସାମିଲ ହେବି ।