ପୁରୀ (ଏଟିଆର ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଲାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂରତି । ପରମ୍ପରା ମୁତାବକ ସମସ୍ତ ନୀତି କାନ୍ତି ଶେଷ ହେବା ପରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ , ତାପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ କାଳିଆର ନନ୍ଦିଘୋଷ ରଥ ଗଡିବା ଆରମ୍ଭ ହୋଇଛି ।
ବାହୁଡା ଯାତ୍ରାର ଧାର୍ଯ୍ୟ କରାଯାଇଥିବା ସମୟ ପୂର୍ବରୁ ଆଜି ରଥ ଗଡିବା ଆରମ୍ଭ ହୋଇଛି । ଘଣ୍ଟ, ଘଣ୍ଟାର ଘର୍ଘର ନାଦରେ ଗଡିଚାଲିଛି ମହାପ୍ରଭୁଙ୍କ ନନ୍ଦିଘୋଷ । ସେବାୟତମାନେ ଶାନ୍ତି ଶୃଙ୍ଖଳାର ସହ ଭିଡି ନେଉଛନ୍ତି କାଳିଆର ରଥ । ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ବାହୁଡା ରଥ ଟଣା ନୀତି । ଚଳିତ ବର୍ଷର ଏହା ଏକ ପ୍ରକାରର ଅପୂର୍ବ ଦୃଶ୍ୟ । କରୋନା କଟକଣା ପାଇଁ ବଡ ଦାଣ୍ଡରେ ଭକ୍ତଙ୍କ ସମାଗମ ହୋଇନାହିଁ । ଭକ୍ତ ଶୂନ୍ୟରେ ଗଡି ଚାଲିଛି ରଥ ।