ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ଡିପ୍ଲୋମା ଛାତ୍ରାଛାତ୍ରୀଙ୍କ ଷଷ୍ଠ ସେମିଷ୍ଟାର ପରୀକ୍ଷା ଅଟକି ରହିଥିବା ବେଳେ ପରୀକ୍ଷା କେବେ ହେବ ସେନେଇ ଦ୍ୱନ୍ଦରେ ଥିଲେ ଛାତ୍ରାଛାତ୍ରୀ । କିନ୍ତୁ ଏବେ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର ହୋଇଛି । ଏଣିକି ଅନଲାଇନ୍ ଯୋଗେ ଛାତ୍ରଛାତ୍ରୀ ଘରେ ବସି ପରୀକ୍ଷା ଦେଇପାରିବେ । ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞାପ୍ତି ଅନୁଯାୟୀ ଅଗଷ୍ଟ ୧ ରୁ ୨୦ ଭିତରେ ଷଷ୍ଠ ସେମିଷ୍ଟାର ପରୀକ୍ଷା କରାଯିବ ।
ସେଥିଲାଗି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବିକଳ୍ପ ରହିଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ବ୍ୟାକ୍ ପେପର ନଥିବ ତେବେ ସେମାନେ ଚାହିଁଲେ ଅନଲାଇନ୍ ଯୋଗେ ପରୀକ୍ଷା ଦେଇ ପାରିବେ ନଚେତ୍ ପୂର୍ବ ପରୀକ୍ଷାର ଫଳାଫଳ ଅନୁସାରେ ସେମାନଙ୍କୁ ନମ୍ବର ଦିଆଯିବ । କିନ୍ତୁ ଯେଉଁ ଛାତ୍ରୀଛାତ୍ରୀଙ୍କ ବ୍ୟାକ୍ ରହିଥିବ ସେମାନଙ୍କ ପାଇଁ ଅନଲାଇନ୍ ପରୀକ୍ଷା ବାଧ୍ୟତାମୂଳକ । ନଚେତ୍ ଛାତ୍ରଛାତ୍ରୀ ୱିଣ୍ଟର ସେମିଷ୍ଟାର ବ୍ୟାକ୍ ପେପର ସହ ପରୀକ୍ଷା ଦେବେ ।