ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋମବାର ରିଲିଆନ୍ସ ଇଣ୍ଡଷ୍ଟ୍ରୀର ସେୟାର ତିନି ପ୍ରତିଶତ ବୃଦ୍ଧି ହେବା ପରେ ମୁକେଶ ଅମ୍ବାନୀ ଦୁନିଆର ଅଷ୍ଟମ ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ଏହାସହିତ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ କମ୍ପାନୀରେ ସାମିଲ ହୋଇଯାଇଛି ।
ଫୋବର୍ସର ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ଅଷ୍ଟମ ସ୍ଥାନ ମିଳିଛି । ଫୋବର୍ସ ମୁତାବକ, ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତି ୭୦ ଅରବ ଡଲାର ରହିଛି । ଗତ ୨୦ ଦିନରେ ୫.୪ ଅରବ ଡଲାର ବଢିଯାଇଛି । ୨୦ ଜୁନ୍ ରେ ଅମ୍ବାନୀ ଫୋବର୍ସର ୯ମ ସ୍ଥାନରେ ରହିଥିବା ବଳେ ଏହି ତାଲିକାର ଶୀର୍ଷରେ ଥିଲେ ଜେଫ୍ ବୋଜୋସ୍ । ତାଙ୍କ ନିକଟରେ ୧୮୯ ବିଲିଅନ ଡଲାରର ସମ୍ପତି ରହିଛି । ସେ ଦୁନିଆର ସବୁଠାରୁ ବଡ ଇ-ରିଟେଲ କମ୍ପାନୀ ଅମେଜନର ମାଲିକ ।
ମୁକେଶ ଅମ୍ବାନୀଙ୍କ ସମ୍ପତି ୨.୩୬ ଅରବ ଡଲାର ବଢି ୭୨.୫ ଅରବ ଡଲାରରେ ପହଁଚି ଯାଇଛି । ୨୦୧୪ ରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଏଜିଏମରେ ମୁକେଶ ଅମ୍ବାନୀ କହିଥିଲେ କି ଗତ ୩୭ ବର୍ଷରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ପହଁଚିଛି, ଆଗାମୀ ତିନି ବର୍ଷରେ ତାଠାରୁ ବି ଆଗକୁ ପହଁଚିବ କମ୍ପାନୀ । ସେହିଅନୁଯାୟୀ ୨୦୧୭ ରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ୬ ଲକ୍ଷ କୋଟି ଟଙ୍କାର କମ୍ପାନୀ ହୋଇଯାଇଥିଲା । ଏହାପରେ କମ୍ପାନୀ ଧୀରେ ଧୀରେ ବଢିବାରେ ଲାଗିଲା । ସେହିପରି ୨୦୧୯ର ଏଜିଏମରେ ମୁକେଶ ଅମ୍ବାନୀ କହିଥିଲେ କି ସେ ଦିନ ଆଉ ଦୂର ନାହିଁ ଯେତେବେଳେ ସମସ୍ତ ବ୍ୟବସାୟର ସେୟାର ୫୦ ପ୍ରତିଶତ ହୋଇଯିବ ।