ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇଦିନିଆ ଲଦାଖ ଏବଂ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି । ଆଜି ଲଦାଖରେ ପହଁଚିଛନ୍ତି । ସେଠାରେ ପାଞ୍ଚ ଘଣ୍ଟା ରହି ସ୍ଥିତି ଅନୁଧ୍ୟାନ କରିବା ପରେ ସେଠାରେ କାଶ୍ମୀର ଅଭିମୁଖେ ଯାତ୍ରା କରିବେ । ଷ୍ଟାକନା ବ୍ୟୁ ପଏଣ୍ଟରେ ବାୟୁସେନା ଏବଂ ସ୍ଥଳସେନା ପକ୍ଷରୁ ରକ୍ଷାମନ୍ତ୍ରୀଙ୍କୁ ଶକ୍ତି ପ୍ରଦର୍ଶନ କରି ଦେଖାଯାଇଛିି । ଏଥିରେ ପାରା ଡ୍ରାପିଙ୍ଗ ସମେତ ଅନ୍ୟ କାର୍ଯକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି ସେନା । ଏହି ସମୟରେ ଖୋଦ୍ ରକ୍ଷାମନ୍ତ୍ରୀ ଏକ ରାଇଫଲରୁ ଟାର୍ଗେଟ ଲଗାଉଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ରକ୍ଷାମନ୍ତ୍ରୀଙ୍କ ସହିତ ସିଡିଏସ ଜେନେରାଲ ବିପିନ ରାୱତ, ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରବଣେ ଏବଂ ବହୁ ବରିଷ୍ଠ ଅଧିକାରୀ ରହିଛନ୍ତି ।
ସୂଚନାଯୋଗ୍ୟ, ଚୀନ୍ ର ଚାଲବାଜିକୁ ଦୃଷ୍ଟିରେ ରଖି ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ । ସେଥିପାଇଁ ଲଦାଖରେ ରକ୍ଷାମନ୍ତ୍ରୀ ପହଁଚିବା ପରେ ତାଙ୍କୁ ସେନାମନେ ଶକ୍ତି ପ୍ରଦର୍ଶନ କରି ଦେଖାଇଥିଲେ । ପାରା କମାଣ୍ଡୋଜ କିଭଳି ଭାବେ ଆଖି ପିଛୁଳାକେ ଶତ୍ରୁଙ୍କୁ ନିପାତ କରିବେ ତାହା ଦେଖିଥିଲେ ରକ୍ଷାମନ୍ତ୍ରୀ । ରକ୍ଷାମନ୍ତ୍ରୀ ସେହି ସମୟରେ ଗସ୍ତ କରୁିଛନ୍ତି ଯେଉଁ ସମୟରେ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବା ପାଇଁ ସୈନ୍ୟ ସ୍ତରରେ ଆଲୋଚନା ଚାଲିଛି ।