ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳରେ ଏବେ ଲକ୍ ଡାଉନ୍ ଏବଂ ଶଟ୍ ଡାଉନ୍ ଭଳି ନିୟମ ଜାରି ରହିଛି । ଛାତ୍ରଛାତ୍ରୀମାନେ ଅନଲାଇନ୍ ଯୋଗେ ପାଠ ପଢୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଚାପରେ ରହିବାକୁ ପଡୁଛି । କିନ୍ତୁ ଏବେ ସେମାନଙ୍କର ଚିନ୍ତା ଦୂର କରିବ ମନୋଦର୍ପଣ । ଆତ୍ମନିର୍ଭର ଭାରତ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ମାନବ ସମ୍ବଲ ବିକାଶ ମନ୍ତ୍ରାଳୟର ବିଶେଷଜ୍ଞମାନେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ପ୍ରଥରେ ମନୋବୈଜ୍ଞାନିକ ମନୋଦର୍ପଣ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ସେହିଅନୁଯାୟୀ ଟୋଲ ଫ୍ରି ନଂ ୮୪୪୮୪୪୦୬୩୨ ନମ୍ବରରେ ସକାଳ ୮ ଠାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଫୋନ୍ କରିବା ଦ୍ୱାରା ମନୋଚିକିତ୍ସକ ପରାମର୍ଶ ଦେବେ ।
କେନ୍ଦ୍ରୀୟ ମାନବ ସମ୍ବଲ ବିକାଶ ମନ୍ତ୍ରୀ ମଙ୍ଗଳବାର ଏହି ମନୋଦର୍ପଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାପୂର୍ବରୁ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମେ ୧୭ରେ ଆତ୍ମନିର୍ଭର ଭାରତ ଅନୁଯାୟୀ ମନୋଦର୍ପଣ ଶୁଭାରମ୍ଭ କରିବା ପାଇଁ ଘୋଷଣା କରିଥିଲେ ।
ଏନେଇ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି କି, ଏହି ଯୋଜନା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏହି ମହାମାରୀ ପାଇଁ ଉପୁଜୁଥିବା ବିଭିନ୍ନ ପ୍ରକାରର ଚିନ୍ତା ଦୂର କରିବାରେ ସହାୟକ ହେବ । ସାରା ବିଶ୍ୱ ଏବେ କରୋନା ସଙ୍କଟ ଦେଇ ଗତି କରୁଛି । ଇତିମଧ୍ୟରେ ମନୁଷ୍ୟ ଚାପ ଓ ଚିନ୍ତାଗ୍ରସ୍ତ ରହିବା ସ୍ୱଭାବିକ । ଏହି ସ୍ଥିତିକୁ ଆମକୁ ଚ୍ୟାଲେଞ୍ଜ ରୂପେ ସ୍ୱୀକାର କରିବାର ଅଛି । ପରିସ୍ଥିତିରେ ଗୋଲାମ ହେବା ଆପେକ୍ଷା ମୁକାବିଲା କରିବା ଉଚିତ୍ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଏକ ୱେବସାଇଟ ରହିଛି ଯେଉଁଥିରେ ନିର୍ଦ୍ଦେଶ ଏବଂ ପ୍ରସ୍ତାବ ରହିଛି । ଏହି ପୋର୍ଟାଲରେ ଅଭିଭାବକ ବା ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା କହିବା ସହିତ ପ୍ରସ୍ତାବ ବି ଦେଇପାରିବେ । ଏଥିରେ ୫ ଶହରୁ ଅଧିକ ଚିକିତ୍ସକ ସହଯୋଗ କରିବେ ।