ଅନୁଗୋଳ,(ଏଟିଆର ବ୍ୟୁରୋ): କୋର୍ଟ ପରିସରରୁ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି ଜଣେ ସିରିୟସ କିଲର । ଏଭଳି ଘଟଣା ଏବେ ଅନୁଗୋଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଫେରାର ଅଭିଯୁକ୍ତର ନାଁ ଝସକେତନ ସାହୁ । ସାମାନ୍ୟ ଉଧାର ଟଙ୍କା ପାଇଁ ସେ ଏକାବେଳେ ୪ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା । ତେବେ କୋର୍ଟ ପରିସରରେ ଥିବା ବେଳେ ଶୌଚ ହେବାକୁ ଯାଇ ସେ ପୁଲିସକୁ ଭକୁଆ ବନାଇଛି । ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।
ରିପୋର୍ଟ କହୁଛି ୨୦୧୬ରେ ଛେଣ୍ଡିପଦା ଥାନା କୁଶକିଲା ଶିଶୁମନ୍ଦିର ପରିସରରେ ୪ଜଣଙ୍କୁ ହତ୍ୟା କରି ପୋତିଦେବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଝସକେତନ । ଏହି ମାମଲାର ଶୁଣାଣି ପାଇଁ ତାକୁ ସକାଳେ କୋର୍ଟକୁ ଅଣାଯାଇଥିଲା । ଶୁଣାଣି ଶେଷ ପରେ ତାକୁ କୋର୍ଟ ପରିସରରେ ଥିବା ହାଜତରେ ରଖାଯାଇଥିଲା । ହେଲେ ଶୌଚ ହେବାକୁ ଯିବା କହି ସେ ଭିତରକୁ ଯାଇ ଆର୍ଜବେଷ୍ଟ ଭାଙ୍ଗି ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ଗଲାବେଳେ ଜଣେ ପୁଲିସ କର୍ମଚାରୀଙ୍କ ଫୋନ ନେଇ ଝସକେତନ ପଳାଇଥିବା ଘଟଣା ଏବେ ସବୁଠୁ ଆଲୋଚନାର ବିଷୟ ହୋଇଛି ।