ଭୁବନେଶ୍ୱର (ଏଟିଆର ବ୍ୟୁରୋ): 2018 ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ପୂର୍ବରୁ ଓଡିଶାର ମହାନଦୀ ସହ ନଅଟି ଉପକୂଳବର୍ତ୍ତୀ ରାଜ୍ୟର ନଦୀ ମୁହାଣ ଓ ହ୍ରଦ ପରିଷ୍କରଣ ସକାଶେ ପର୍ଯ୍ୟାବରଣ, ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ 19ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ନଅଟି ରାଜ୍ୟର 24ଟି ପ୍ରଦୂଷିତ ସମୁଦ୍ରତଟକୁ ସ୍ୱଚ୍ଛ ଓ ପରିଷ୍କାର ପରିଚ୍ଛନ୍ନ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ । ଚିହ୍ନଟ କରାଯାଇଥିବା ରାଜ୍ୟଗୁଡିକ ହେଲା – ଓଡିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳ । ସେହିଭଳି 19ଟି ରାଜ୍ୟର ଚିହ୍ନିତ 24ଟି ପ୍ରଦୂଷିତ ନଦୀ ମୁହାଣକୁ ସ୍ୱଚ୍ଛ କରାଯିବା ସକାଶେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହିସବୁ ତାଲିକାଭୁକ୍ତ ନଦୀ ମୁହାଣ ସମେତ ଦିଲ୍ଲୀର ଯମୁନା ନଦୀକୂଳକୁ ପ୍ରଦୂଷଣମୁକ୍ତ କରି ସ୍ୱଚ୍ଛ ଓ ସୁନ୍ଦର କରିବା ସକାଶେ ବିଶେଷ ପଦକ୍ଷେପ ନିଆଯିବ । ଏହା ସମେତ ଦେଶର କେତେକ ପ୍ରଦୂଷିତ ଜଳକ୍ଷେତ୍ର ଏବଂ ହ୍ରଦକୁ ସ୍ୱଚ୍ଛକରଣ ସକାଶେ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାନଦୀ ସ୍ୱଚ୍ଛତା ଯୋଜନା ସାମିଲ ହୋଇଛି । ସେହିପରି ପୁରୀ ଓ ପାରାଦୀପ ବେଳାଭୂମିକୁ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ସାମିଲ କରାଯାଇଛି ।
ସରକାର ଏଭଳି ସ୍ୱଚ୍ଛତା ଯୋଜନା ସକାଶେ ଯେଉଁ 19ଟି ଟିମ ଗଠନ କରିଛନ୍ତି ସେଥିରେ ପର୍ଯ୍ୟାବରଣ, ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ନୋଡ଼ାଲ ଏଜେନ୍ସି ଯଥା ବିଦ୍ୟାଳୟର ଇକୋ କ୍ଲବ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଜିଲ୍ଲା ପ୍ରଶାସନ, କଲେଜ, ମତ୍ସ୍ୟଚାଷ ବିଭାଗ ଯାହାକି ସେହିସବୁ କ୍ଷେତ୍ରରେ ଅବସ୍ଥିତ ରହିଛି ଏବଂ ଅନ୍ୟାନ ଶିକ୍ଷାନୁଷ୍ଠାନ/ ଗବେଷଣା ପ୍ରତିଷ୍ଠାନ ଓ ସ୍ଥାନୀୟ ଗୋଷ୍ଠୀର ବରିଷ୍ଠ ପଦାଧିକାରୀ ତଥା ପ୍ରତିନିଧିମାନଙ୍କୁ ସାମିଲ କରାଯିବ । ଏହି ଟିମରେ ସ୍ଥାନୀୟ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ସାମିଲ କରାଯିବା ଦ୍ୱାରା ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ସେହିଭଳି ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଇକୋ କ୍ଲବକୁ ନିୟୋଜିତ କରାଯିବ । ଏହି କ୍ଲବମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସବୁଜ ବାହିନୀ କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି ।
ପ୍ରତ୍ୟେକ ସମୁଦ୍ର ତଟ, ନଦୀ ଉପକୂଳ ଓ ହ୍ରଦ ସ୍ୱଚ୍ଛକରଣ ସକାଶେ 10 ଲକ୍ଷ ଟଙ୍କା ବ୍ୟୟ କରାଯିବ । ସେହିଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତତ୍ୱସ୍ଥଳୀରେ ମଧ୍ୟ ଏଭଳି ସଫେଇ କାର୍ଯ୍ୟ ହାତକୁ ନିଆଯିବ । ମେ 15 ତାରିଖରୁ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି ଓ ତାହା ଜୁନ୍ 5 ତାରିଖ ଦିନ ଶେଷ ହେବ । ଏହି ଅବଧିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍ ପ୍ରତିଯୋଗିତା, ତର୍କ, ସଚେତନତା ରାଲିର ଆୟୋଜନ କରାଯିବ ।
ମନ୍ତ୍ରଣାଳୟର ପ୍ରତ୍ୟେକ ରାଜ୍ୟରେ ଥିବା ରାଜ୍ୟ ନୋଡ଼ାଲ ଏଜେନ୍ସିମାନଙ୍କୁ ନୋଡ଼ାଲ ପଏଣ୍ଟ ଭାବେ ଗ୍ରହଣ କରି ଏହାକୁ ପ୍ରବର୍ତ୍ତନ କରାଯିବ । ଏହିସବୁ ହ୍ରଦକୁ ସଫେଇ କରାଯିବା ନିମନ୍ତେ ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟ ନୋଡ଼ାଲ ଏଜେନ୍ସି ଏବଂ ନିକଟବର୍ତ୍ତୀ ମତ୍ସ୍ୟଚାଷ କଲେଜର ମୁଖ୍ୟମାନଙ୍କ ସହ ପରାମର୍ଶକ୍ରମେ ଏହାର କେତେ ଅଂଶ ସଫେଇ ନିମନ୍ତେ ହାତକୁ ନିଆଯିବ ତାହା ସ୍ଥିର କରାଯାଇଛି । ସଫେଇ କାର୍ଯ୍ୟରେ କେଉଁ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ଏବଂ ଏନଜିଓ, ଏନସିସି, ସୀମା ସୁରକ୍ଷା ବଳ (ବିଏସଏଫ), କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ), ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି), ତଟରକ୍ଷୀ ବାହିନୀ ଏବଂ ସାଧାରଣ ନାଗରିକମାନଙ୍କୁ ସାମିଲ କରାଯିବ ତାହା ନିର୍ଦ୍ଧାରଣ କରାଯାଇଛି । ସଫେଇ ନିମନ୍ତେ ଆବଶ୍ୟକ ଝାଡ଼ୁଠାରୁ ବାସ୍କେଟ, ପିଲାମାନଙ୍କ ସକାଶେ ହାତ ଗ୍ଲୋଭସ୍ ଓ ଡ଼ଷ୍ଟବିନ୍ ଯୋଗାଇ ଦିଆଯାଇଛି । ସଫେଇ ବର୍ଜ୍ୟକୁ ସେଠାରୁ ପରିବହନ କରିବା ସକାଶେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସେହିସବୁ ବର୍ଜ୍ୟକୁ ଚିହ୍ନିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପରେ ସ୍ଥାନୀୟ ପୌରସଂସ୍ଥା ସହ ସମନ୍ୱୟ ରକ୍ଷା କରାଯାଇ ସେସବୁକୁ ନଷ୍ଟ କରାଯିବ ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦେଶର ସମସ୍ତ ବିଦ୍ୟାଳୟ ଓ କଲେଜର ଅଧ୍ୟକ୍ଷମାନଙ୍କୁ ନିକଟକୁ ପତ୍ର ଲେଖିଛନ୍ତି । ସେହି ପତ୍ରରେ ସେମାନଙ୍କର ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ଲାଷ୍ଟିକମୁକ୍ତ କରିବା ସକାଶେ ମନ୍ତ୍ରୀ ଅନୁରୋଧ କରିଛନ୍ତି । ଯେଉଁସବୁ ଶିକ୍ଷାନୁଷ୍ଠାନ ପ୍ଲାଷ୍ଟିକମୁକ୍ତ ହେବ ସେଗୁଡ଼ିକୁ ପ୍ରମାଣପତ୍ର ପ୍ରଦାନ କରାଯିବ ଏବଂ ସେମାନଙ୍କର ପ୍ରୟାସକୁ ଲୋକମାନଙ୍କ ନିକଟରେ ପ୍ରଚାର କରିବା ସହ ପ୍ଲାଷ୍ଟିକର ଅପକାରୀତା ସଂପର୍କରେ ଅନ୍ୟ ଲୋକମାନଙ୍କୁ ସଚେତନ କରାଯିବ । ଏଥିପାଇଁ ଯେଉଁ ମିଶନ୍ ମୋଡ଼ରେ ପଦକ୍ଷେପ ଗ୍ରହଣ କରାଯିବା ସକାଶେ ସ୍ଥିରୀକୃତ ହୋଇଛି ତାହା ନିମ୍ନରେ ପ୍ରଦାନ କରାଗଲା:
– ବିଦ୍ୟାଳୟମାନଙ୍କରେ ପାଣି ବୋତଲ, ପ୍ଲାଷ୍ଟିକ୍ ବ୍ୟାଗ, ପ୍ଲାଷ୍ଟିକ୍ କପ୍, ପ୍ଲାଷ୍ଟିକ୍ ପ୍ଲେଟ୍, ପ୍ଲାଷ୍ଟିକ୍ ଜଗ୍, ପ୍ଲାଷ୍ଟିକ୍ ଫୋଲ୍ଡର/ ଟ୍ରେ/ ପେନଷ୍ଟାଣ୍ଡ ଆଦି ବ୍ୟବହାର ନକରିବା ସକାଶେ ପରାମର୍ଶ ଦିଆଯିବ ।
– ବିଦ୍ୟାଳୟ/କଲେଜ ପାଶ୍ୱର୍ବର୍ତ୍ତୀ କୌଣସି ଏକ ନିକଟବର୍ତ୍ତୀ ଜଳରାଶି, ପୁଷ୍କରିଣୀ, ଆର୍ଦ୍ରଭୂମି, ସମୁଦ୍ରକୂଳ ଅଥବା ପର୍ଯ୍ୟାବରଣ ଦୃଷ୍ଟିରୁ ସଂବେଦନଶୀଳ କ୍ଷେତ୍ର ଆଦିକୁ ଆପଣାଇବା ଓ ଏହାକୁ ପ୍ଲାଷ୍ଟିକମୁକ୍ତ କରିବା
– ଏପ୍ରିଲଠାରୁ ମେ ମାସ ମଧ୍ୟରେ ଘୋଷିତ ଛୁଟିଦିନମାନଙ୍କରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରାଯିବ ।
ଏହି କାର୍ଯ୍ୟକ୍ରମ ଶେଷରେ, ଯେଉଁସବୁ ବିଦ୍ୟାଳୟ/କଲେଜ ନିଜକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରିଥିବେ ଓ “ଗ୍ରିୀନ୍ ବିଦ୍ୟାଳୟ/କଲେଜ” ହୋଇଥିବେ ସେମାନଙ୍କୁ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପୁରସ୍କୃତ କରିବେ । ମନ୍ତ୍ରଣାଳୟର ବରିଷ୍ଠ କର୍ମକର୍ତ୍ତା, ମନ୍ତ୍ରଣାଳୟର କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଏହିସବୁ କାର୍ଯ୍ୟ ତଦାରଖ କରିବେ । କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାଳୟ ଓ କଲେଜମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସେମାନଙ୍କର ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରିବେ ।
ଉପରବର୍ଣ୍ଣିତ ସ୍ୱଚ୍ଛତା ଅଭିଯାନ ବ୍ୟତୀରେକେ, ମନ୍ତ୍ରଣାଳୟ ପକ୍ଷରୁ ଜୁନ 3 ତାରିଖ ଦିନ ନୂଆଦିଲ୍ଲୀର ବିନୟ ମାର୍ଗଠାରେ ଏକ ମିନି ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ଲାଷ୍ଟିକର ଉପଯୁକ୍ତ ଉପଯୋଗ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ବିଶେଷ ଲକ୍ଷ୍ୟ । ଦିଲ୍ଲୀ-ଏନସିଆରର ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ମିନି ମାରାଥନରେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ 10 ହଜାରରୁ 15 ହଜାର ଲୋକ ଭାବ ନେବାର ଆଶା କରାଯାଉଛି । ଅନୁରୂପ ଭାବେ ଦେଶର ଅନ୍ୟ ପାଞ୍ଚଟି ନଗରୀ ଯଥା- ବେଙ୍ଗାଲୁରୁ, ଅହମ୍ମଦାବାଦ, ଗାଙ୍ଗଟକ୍, ଭୋପାଳ ଏବଂ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଏକା ଦିନରେ ଆୟୋଜନ କରାଯିବ ।
ବିଶ୍ୱ ପର୍ଯ୍ୟାବରଣ ଦିବସ 2018ର ଭାରତ ଏକ ବୈଶ୍ୱିକ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ବହନ କରିଛି । ପର୍ଯ୍ୟାବରଣ କାର୍ଯ୍ୟକ୍ରମ ସଂପର୍କରେ ଏହା ଜାତିସଂଘ ନେତୃତ୍ୱାଧୀନ ସର୍ବବୃହତ ଆୟୋଜନ । ଚଳିତ ବର୍ଷ ବିଶ୍ୱ ପର୍ଯ୍ୟାବରଣ ଦିବସର ଶୀର୍ଷକ ରଖାଯାଇଛି –“ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କର” । ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ ଅନେକଗୁଡ଼ିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମେ 2018 ଠାରୁ ଏହସିବୁ କାର୍ଯ୍ୟକ୍ରମକୁ ବିଭିନ୍ନ ଦିନରେ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର କରାଯାଇଛି ତା’ମଧ୍ୟରେ ବିଜ୍ଞାନ ଭବନଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ, ରାଜପଥରେ ବିଭିନ୍ନ ପ୍ରକାର ପ୍ରଦର୍ଶନୀ ଏବଂ ରାଜ୍ୟମାନଙ୍କରେ ନାନା ପ୍ରକାର କାର୍ଯ୍ୟକ୍ରମର ଆୟୋଜନ ଅନ୍ତର୍ଭୁକ୍ତ ।