ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ଏହାକୁ ଦୃଷ୍ଟିରେ ରଖି ଦେଶରେ ଲକ୍ ଡାଉନ୍, ସଡ୍ ଡାଉନ୍ ଭଳି ଅନଲକ୍ ପ୍ରକ୍ରିୟା ବି ଜାରି ରହିଛି । ସେହିଅନୁଯାୟୀ ଗୃହମନ୍ତ୍ରାଳୟ ପକ୍ଷରୁ ବୁଧବାର ଅନଲକ୍-୩ ର ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ମୂତାବକ, ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ଗୁଡିକରେ ପୂର୍ବ ଭଳି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏହାସହିତ ଯୋଗ ଏବଂ ଜିମ୍ ସେଣ୍ଟର ଅଗଷ୍ଟ ୫ରୁ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଛି । କିନ୍ତୁ ସ୍କୁଲ, କଲେଜ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ କଟକଣା ଜାରି ରହିଛି । ଅଗଷ୍ଟ ୩୧ ଯାଏଁ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ । ଅନ୍ୟପଟେ ସିନେମା ହଲ, ସ୍ୱିମିଙ୍ଗ ପୁଲ, ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର ଆଦି ବି ବନ୍ଦ ରହିବ ।
ସେହିପରି ଗାଇଡଲାଇନ୍ ଅନୁଯାୟୀ, ସାମାଜିକ ଦୂରତା ଅବଲମ୍ବନ କରି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ । ଏହି ଅବସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଗଷ୍ଟ ୫ ରେ ଖୋଲିବାକୁ ଥିବା ଯୋଗ, ଏବଂ ଜିମ୍ ସେଣ୍ଟର ଗୁଡିକୁ ଏସଓପି ଫଲୋ କରିବାକୁ ପଡିବ । ବିଦେଶ ଉଡାଣ ସେବା ବନ୍ଦ ରହିବ କେବଳ ସରକାର ଦ୍ୱାରା ଚାଲୁଥିବା ଉଡାଣ ଜାରି ରହିବ । ସେହିପରି ମେଟ୍ରା ସେବା ବି ବନ୍ଦ ରହିବ । ଏହାସହିତ ବଡ ବଡ ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ କାର୍ଯ୍ୟକ୍ରମ, ଖେଳ କାର୍ଯ୍ୟକ୍ରମ ହେବ ନାହିଁ ।