ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ଏହାକୁ ମାତ୍ ଦେବା ପାଇଁ ଟୀକା ପରୀକ୍ଷଣରେ ଲାଗିପଡିଛନ୍ତି ବୈଜ୍ଞାନିକ । ଏହାରି ଭିତରେ ବିଶ୍ୱର ଅନେକ ଦେଶରୁ ଟୀକାକୁ ନେଇ ଭଲ ଖବର ଶୁଣିବାକୁ ମିଳୁଛି । ଭାରତ, ଋଷ, ବ୍ରିଟେନ, ଆମେରିକା ସମେତ ଅନେକ ଦେଶ ଏହି ଭ୍ୟାକ୍ସନ ନିର୍ମାଣ କରିବାର ପାଖାପାଖି ପହଁଚି ଗଲେଣି । ସେପଟେ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ ବାହାର କରିଥିବାକୁ ନେଇ ଋଷ ଦାବି କରିଛି । ଯାହାକୁ ଅଗଷ୍ଟ ୧୨ ଅର୍ଥାତ ଆସନ୍ତା କାଲି ପଞ୍ଜିକରଣ କରାଯିବ ।
ଋଷର ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବକ, ଭ୍ୟାକ୍ସିନ ପଞ୍ଜିକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ହୁଏତ ଏହି ଭ୍ୟାକ୍ସିନକୁ ନେଇ ଆମେରିକା, ବ୍ରିଟେନ ଭଳି ଦେଶ ବ୍ୟତିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଆପତି କରିଛି । କିନ୍ତୁ ସନ୍ଦେହ ଏବଂ ପ୍ରଶ୍ନ ମଧ୍ୟରେ ଋଷ ଏହି ଭ୍ୟାକ୍ସିନକୁ ଲଞ୍ଚ କରିବା ଏବଂ ଟୀକାକରଣ ଅଭିଯାନରେ ପ୍ରସ୍ତୁତିରେ ରହିଛି ।
ପ୍ରକୃତରେ ଏହି ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାୟଲ ପୁରା ହେବା ପୂର୍ବରୁ ଏହାର ପଞ୍ଜିକରଣ ପାଇଁ ଘୋଷଣା କରିଦେଇଥିଲା ଋଷ । ଏହାପରେ ଆମେରିକା, ବିଟ୍ରେନ ଆଦି ଦେଶ ଏହା ଉପରେ ସନ୍ଦେହ ଏବଂ ଆପତି କରିଥିଲେ । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଭ୍ୟାକ୍ସିନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ସାରିଛି ।
ଋଷ ଦାବି କରିଛି କି, କରୋନା ପାଇଁ ଯେଉଁ ଭ୍ୟାକ୍ସିନ ତିଆରି କରାଯାଇଛି ତାହା କ୍ଲିନିକାଲ ଟ୍ରାୟଲରେ ୧୦୦ ପ୍ରତିଶତ ସଫଳ ହୋଇଛି । ଯେଉଁ ଭଲ୍ୟୁଣ୍ଟିୟରକୁ ଭ୍ୟାକ୍ସିନ ଦିଆଯାଇଥିଲା ତାଙ୍କ ଶରୀରରେ ଭାଇରସ ବିରୋଧରେ ଇମ୍ୟୁନିଟି ବିକସିତ ହୋଇଛି । କିଛି ପରିମାଣରେ ଜ୍ୱର ରହିବାର ସମସ୍ୟା ରହିଛି କିନ୍ତୁ ତାହା ପାରାସିଟାମଲ ଦ୍ୱାରା ସହଜରେ ଭଲ ହୋଇପାରେ । gam-covid-vac lyo ଭ୍ୟାକ୍ସିନକୁ ଋଷର ରକ୍ଷାମନ୍ତ୍ରାଳୟ ଏବଂ ନେସନାଲ ରିସର୍ଚ ସେଣ୍ଟର ଫର ଏପିଡେମିୟୋଲଜି ଏବଂ ମାଇକ୍ରୋବାୟୋଲଜି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।
ବର୍ତ୍ତମାନ ତୃତୀୟ ପର୍ଯ୍ୟୟ ପରୀକ୍ଷଣ ଚାଲିଛି । କିନ୍ତୁ ଅଗଷ୍ଟ ୧୨ ତାରିଖରେ ଏହାର ପଞ୍ଜିକରଣ କରାଯିବ । ଏହା ବିଶ୍ୱର ପ୍ରଥମ ଭ୍ୟାକ୍ସନ ହେବ ବୋଲି ଋଷ ଦାବି କରିଛି । ସେପ୍ଟମ୍ବରରୁ ଏହାର ଉତ୍ପାଦନ ଏବଂ ଅକ୍ଟୋବରରୁ ଟୀକାକରଣ ପାଇଁ ପ୍ରସ୍ତୁତି ଚଲାଇଛି ଋଷ ।
ଅନ୍ୟପଟେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କି, ଟ୍ରାୟଲ ସମୟରେ ଯାହା ଶରୀରରେ ଆଣ୍ଟିବଡିଜ ସୃଷ୍ଟି ହେଉଛି ସେମାନଙ୍କ ପାଇଁ ଏହି ଭ୍ୟାକ୍ସିନ ବିପଦପୂର୍ଣ୍ଣ ହୋଇପାରେ । ସେ କହିଛନ୍ତି କି ଭୁଲ ଭ୍ୟାକ୍ସିନ ଦେବା ଦ୍ୱାରା ରୋଗ ବଢିବାର ଆଶଙ୍କ ମଧ୍ୟ ବଢିପାରେ ।
ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରବକ୍ତା କହିଥିଲେ କି ଯଦି କୌଣସି ଭ୍ୟାକ୍ସିନକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୁରା ହେବା ପୂର୍ବରୁ ପଞ୍ଜିକରଣ କରାଯାଉଛି ତେବେ ତାହା ବିପଦପୂର୍ଣ୍ଣ ହୋଇପାରେ । ଏଭଳି ସଫଳତା ଉପରେ ଭରଷା କରାଯାଇ ପାରିବ ନାହିଁ ।