ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ସିବିଆଇ କରିବ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ । ସିବିଆଇ ତଦନ୍ତ ସଠିକ୍ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ନିଷ୍ପତି ନିଆଯାଇଛି । ଶୁଣାଣିରେ କୋର୍ଟ ପକ୍ଷରୁ କୁହାଯାଇଛି ବିହାର ପୋଲିସର ଏଫଆଇଆର ସଠିକ୍ । ମହାରାଷ୍ଟ୍ର ସରକାରଙ୍କୁ ଆଦେଶର ପାଳନ କରିବାକୁ ପଡିବ ।
ସୁପ୍ରିମକୋର୍ଟର ଏହି ନିଷ୍ପତି ପରେ ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କୁ ବଡ ଝଟକା ଲାଗିଛି ।
ସୂଚନାଯୋଗ୍ୟ, ଏହି ମାମଲରେ ଅଗଷ୍ଟ ୧୧ ରେ ଶୁଣାଣି କରିବା ପରେ କୋର୍ଟ ପକ୍ଷରୁ ଆଦେଶକୁ ସୁରକ୍ଷିତ ରଖାଯାଇଥିଲା । ଶୁଣାଣି କରୁଥିବା ଜଷ୍ଟିସ ଋଷିକେଶ ରାୟ ସମସ୍ତ ପକ୍ଷକୁ ନିଜର ସଂକ୍ଷିପ୍ତ ଲିଖିତ ନୋଟ ଅଗଷ୍ଟ ୧୩ ସୁଧା ଜମା କରିବାକୁ କହିଥିଲେ । ସେହିଅନୁଯାୟୀ ଅଗଷ୍ଟ ୧୩ରେ ସମସ୍ତ ପକ୍ଷ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା ।
କୋର୍ଟକୁ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆରକୁ ମୁମ୍ବାଇ ପୋଲିସକୁ ଦେବା ପାଇଁ ମୁମ୍ବାଇ ସରକାର ଏବଂ ରିୟା ଚକ୍ରବର୍ତ୍ତି ଦାବି କରିଥିଲେ । ଏହାକୁ ଜୋରଦାର ବିରୋଧ କରିଥିଲେ ବିହାର ସରକାର ଏବଂ ସୁଶାନ୍ତଙ୍କ ପିତାଙ୍କ ଓକିଲ । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ସୁପ୍ରିମକୋର୍ଟକୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ନେଇ ଆସିଥିଲେ । ରିୟା ତାଙ୍କ ବିରୋଧରେ ପାଟନାରେ ଦାଖଲ ହୋଇଥିବା ଅଭିଯୋଗକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ପିଟିସନ୍ ଦାଖଲ କରିଥିଲେ ।