ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଛଟପଟ ହେଉଥିବା ଦେଶ ଏବେ ଟୀକା ଅପେକ୍ଷାରେ । ପ୍ରାୟତଃ ୧୫୦ ରୁ ଅଧିକ ଟୀକା ଉପରେ ବିଭିନ୍ନ ସ୍ଥାନରେ ରିସର୍ଚ୍ଚ ଏବଂ ପରୀକ୍ଷଣ ଚାଲିଛି । ଏପର୍ଯ୍ୟନ୍ତ କୌଣସି ଟୀକା ବାହାରିନଥିବା ବେଳେ କେବଳ ଋଷ ହିଁ କରୋନା ଟୀକା ସ୍ପୁଟିନିକ ଭି କୁ ଅଗଷ୍ଟ ମାସରେ ମଞ୍ଚୁରୀ ଦେଇଥିଲା । ଯାହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅପେକ୍ଷାରେ ସାରା ଦୁନିଆ । ସେହିପରି ଭାରତରେ ବି କରୋନାର ତିନୋଟି ଟୀକାର ଫେଜ ୨ ଏବଂ ୩ ର ପରୀକ୍ଷଣ ଚାଲୁଛି । ସେଥିରୁ ଦୁଇଟି ଟୀକା ଭାରତୀୟ ବୈଜ୍ଞାନିକମାନେ ହିଁ ବିକସିତ କରିଛନ୍ତି । କିନ୍ତୁ କରୋନା ଟୀକା କେବେ ଆସିବ, କାହାକୁ ପ୍ରଥମେ ଦିଆଯିବ ଏହି ସମସ୍ତ ପ୍ରଶ୍ନର ଉତ୍ତର କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଦିଆଯିବ । ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଭାରତର କୋଭିଡ ଟୀକାର ପ୍ଲାନ ବିଷୟରେ ଅବଗତ କରାଇବେ ।
ସେପ୍ଟମ୍ବର ୨୮ରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କୋଭିଡ୧୯ ଟୀକାର ପୋର୍ଟାଲ ଲଞ୍ଚ କରିଥିଲେ । ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଆଇସିଏମଆର ପକ୍ଷରୁ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏହି ପୋର୍ଟାଲ ମାଧ୍ୟମରେ ଭାରତରେ କୋଭିଡ୧୯ ଟୀକାର ସହ ଜଡିତ ତଥ୍ୟ ବିଷୟରେ ଜାଣିପାରିବେ ଲୋକ । ଧୀରେ ଧୀରେ ଅନ୍ୟ ରୋଗର ଟୀକା ସହ ଜଡିତ ସମସ୍ତ ଡାଟା ଏଠାରେ ଉପଲବ୍ଧ ହେବ । ପ୍ରକୃତରେ କେଉଁ ଟୀକା ପରୀକ୍ଷଣର କେଉଁ ଷ୍ଟେଜରେ ଅଛି ଏଥିରେ ସବୁକିଛି ଜାଣିହେବ ।