ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ଯାହାକି ଲଘୁଚାପ ଫଳରେ ହେଉଛି । ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ ବୋଲି ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ।
ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟସୂଚନା ଦିଆଯାଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି । ଆଜି ସକାଳ ୮ଟା ଯାଏଁ ୧୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିଲା। ତେଣୁ ଲଘୁଚାପ ପାଇଁ ମତ୍ସ୍ୟଜିବୀଙ୍କୁ ମଧ୍ୟ ସତର୍କ କରାଯାଇଛି ।