ପୁରୀ (ଏଟିଆର ବୁରୋ): ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ସହ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଏହାରି ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସୀ ଖବର । ଶ୍ରୀମନ୍ଦିରର ମହାପ୍ରସାଦ ଉପରେ ଲାଗିଥିବା ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ସମସ୍ତ ଭକ୍ତ ପାଇପାରିବେ ମହାପ୍ରଭୁଙ୍କ ମହାପ୍ରସାଦ । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଦୁଇଟି ଅସ୍ଥାୟୀ ଟେଣ୍ଟ କରାଯାଇ ସେଠାରେ ମହାପ୍ରସାଦ ଯୋଗାଇ ଦେବାକୁ ନିଷ୍ପତି ହୋଇଛି । ଭକ୍ତମାନେ ବରାଦି ମହାପ୍ରସାଦ ପାଇଁ ମଧ୍ୟ ବରାଦ ଦେଇ ପାରିବେ । ଏନେଇ ସୁଆର ମହାସୁଆର ସମ୍ପାଦକ କୃଷ୍ଟଚନ୍ଦ୍ର ପ୍ରତିହାରୀ ସୂଚନା ଦଇଛନ୍ତି ।
ମହାମାରୀ କରୋନା ପାଇଁ ଦୀର୍ଘ ସାତ ମାସରୁ ଅଧିକ ସମୟ ହେବ ଶ୍ରୀମନ୍ଦିର ବନ୍ଦ ରହିଛି । ଭଗବାନଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି ଭକ୍ତ । ଏବେ ଭଗବାନଙ୍କୁ ଦେଖିବା ପାଇଁ ଭକ୍ତର ମନ ବ୍ୟାକୁଳ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପତିତପାବନଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କୁ ଅରୁଣ ସ୍ତମ୍ଭ ଯାଏଁ ଯିବା ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।