ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଏଣିକି ଆଉ ରେଳ ଯାତ୍ରୀଙ୍କୁ ଲଗେଜ ବୋହିବା ଲାଗି ଚିନ୍ତା କରିବାକୁ ପଡିବ ନାହିଁ । ଭାରତୀୟ ରଲୱେ ଖୁବ୍ ଶୀଘ୍ର ‘ବ୍ୟାଗ୍ସ ଅନ୍ ହ୍ୱିଲ୍ସ’ ସେବା ଶୁଭାରମ୍ଭ କରିବାକୁ ଯାଉଛି । ଏହି ସେବା ଅନୁଯାୟୀ ଏଣିକି ଯାତ୍ରୀଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଲଗେଜ ତଥା ଅନ୍ୟ ସାମାନ ନେବାର ଚିନ୍ତା ଦୂର ହୋଇଯିବ । ଏହି ନୂତନ ସେବା ଲାଗୁ ହୋଇଯିବା ପରେ ରେଲୱେ ଆପଣଙ୍କ ସାମାନକୁ ଆପଣଙ୍କ ଘରୁ ଷ୍ଟେସନ ପର୍ଯ୍ୟନ୍ତ ପହଁଚାଇବ ।
ରେଲୱେ ମୁତାବକ, ଏହି ସେବା ଅନୁଯାୟୀ ଯାତ୍ରୀଙ୍କୁ ତାଙ୍କ ସିଟ୍ ପର୍ଯ୍ୟନ୍ତ ସାମାନ ତଥା ଜିନିଷ ବୋହି ନେବାର ଚିନ୍ତାରୁ ଆଶ୍ୱସ୍ତି ମିଳିବ । ଏଭଳି ଏକ ସେବା ପ୍ରଥମ ଥର ପାଇଁ ଭାରତୀୟ ରେଲୱେ ଆରମ୍ଭ କରିବାକୁ ଯାଉଛି । ଏହା ଏନଆଇଏନଏଫଆରଆଇଏସ ର ଅନ୍ତର୍ଗତ ଆପ୍ ଆଧାରିତ ବ୍ୟାଗ୍ସ ଅନ୍ ହ୍ୱିଲ ସେବା ର ଶୁଭାରମ୍ଭ କରାଯିବ ।
ବର୍ତ୍ତମାନ ଏହି ସେବାର ଶୁଭାରମ୍ଭ ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେସନ, ଦିଲ୍ଲୀ ଛାବନି ରେଲୱେ ଷ୍ଟେସନ, ଦିଲ୍ଲୀ ସରାୟ ରୋହିଲ୍ଲା ରେଲୱେ ଷ୍ଟେସନ, ଗାଜିୟାବାଦ ରେଲୱେ ଷ୍ଟେସନ ଏବଂ ଗୁରୁଗ୍ରାମ ରେଲୱେ ଷ୍ଟେସନରେ ଉପଲବ୍ଧ ହେବ । ସେହିଅନୁଯାୟୀ ଆପ୍ ଦିଆଯାଇଥିବା ସୂଚନା ମୁତାବକ ଯାତ୍ରୀଙ୍କ ଘରୁ ତାଙ୍କର ଜିନିଷ ନେଇ ଟ୍ରେନର କୋଚ ପର୍ଯ୍ୟନ୍ତ ପହଁଚାଇବ ରେଲୱେ ।
ଉତ୍ତର ଏବଂ ଉତ୍ତର ମଧ୍ୟ ରେଲୱେର ମହାପ୍ରବନ୍ଧକ ରାଜୀବ ଚୌଧରୀ କହିଛନ୍ତି କି, ନୂତନ ଉପାୟରେ ରେଲୱେ ଲଗାତର ଭାବେ ରାଜସ୍ୱ ବଢାଇବା ପାଇଁ ପ୍ରୟାସରତ । ଏଥିପାଇଁ ଯାତ୍ରୀଙ୍କୁ ରେଲୱେର ବିଓଡବ୍ଲ୍ୟୁ ଆପ ରେ ବୁକିଂ କରିବାକୁ ହେବ ଏବଂ ମଗାଯାଇଥିବା ତଥ୍ୟ ଦେବାକୁ ହେବ । ଏଥିରେ ଦେଇଥିବା ତଥ୍ୟ ଆଧାରରେ ଯାତ୍ରୀଙ୍କ ସାମାନକୁ ଷ୍ଟେସନରୁ ଘର ବା ଘରୁ ଷ୍ଟେସନରୁ ପହଁଚା ଯିବ । ଏହି ସୁବିଧା ଲାଗୁ ହୋଇଯିବା ପରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ଏକୁଟିଆ ଯାତ୍ରା କରୁଥବା ମହିଳା ଯାତ୍ରୀଙ୍କ ପାଇଁ ଲାଭଦାୟକ ହେବ ।